ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ନବରାତ୍ରୀ ଉପଲକ୍ଷେ ଶୁଭେଚ୍ଛା

ନୂଆଦିଲ୍ଲୀ,୭/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଓ ‘ବିଜେପି’ର ମୁଖ୍ୟ ଜଗତ୍‌ ପ୍ରକାଶ ନଡ୍ଡାଙ୍କ ସମେତ ନବରାତ୍ରୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଟୁଇଟର୍‌ରେ ଅଭିନନ୍ଦନ ପୋଷ୍ଟ୍‍ କରି ପ୍ରଧାନମନ୍ତ୍ରୀ ଆଶା କରିଛନ୍ତି ଯେ, ଜନସାଧାଣଙ୍କ ଜୀବନରେ ନବରାତ୍ରୀ ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି ଆଣୁ। ସେ ଲେଖଛନ୍ତି: ସମସ୍ତଙ୍କୁ ନବରାତ୍ରୀ ଅଭିନନ୍ଦନ। ଆଗାମୀ ଦିନ ସବୁ ହେଉଛି ଜଗତ୍‌ ଜନନୀ ମା’ଙ୍କ ଆରାଧନାରେ ନିମଜ୍ଜନ ହେବାର ସମୟ। ପ୍ରତ୍ୟେକଙ୍କ ଜୀବନରେ ନବରାତ୍ରୀ ଶକ୍ତି, ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି ଆଣୁ। ପରବର୍ତ୍ତୀ ଟୁଇଟ୍‌ରେ ମଧ୍ୟ ସେ ମା ଶୈଳପୁତ୍ରୀଙ୍କ ପାଇଁ ଗୋଟାଏ ପ୍ରାର୍ଥନା ପୋଷ୍ଟ୍‍ କରିଛନ୍ତି। ନବରାତ୍ରୀର ପ୍ରଥମ ଦିନରେ ମା ଶୈଳପୁତ୍ରୀଙ୍କ ପୂଜନ ହୁଏ।

ନବରାତ୍ରୀକୁ ଜନସାଧାରଣ ଆପଣାର ଅନ୍ତରରେ ଥିବା ଶକ୍ତିକୁ ହୃଦୟଙ୍ଗମ କରିବା ସହ ଆତ୍ମାକୁ ଜାଗ୍ରତ କରିବାର ଗୋଟାଏ ମହାନ୍‌ ଉତ୍ସବ କହି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନବରାତ୍ରୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ହିନ୍ଦୀରେ ଟୁଇଟ୍‌ କରି ସେ ଲେଖିଛନ୍ତି, ଶକ୍ତି ସଞ୍ଚୟ ଏବଂ ଆତ୍ମଚେତନା ଜାଗୃତିର ମହାପର୍ବ ନବରାତ୍ରୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା। ଆଦିଶକ୍ତି ମା ଦୁର୍ଗା ସମସ୍ତଙ୍କ ମନୋବାଞ୍ଛା ପୂର୍ଣ୍ଣ କରି ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ସହ ଶୁଭାଶିଷ ଦିଅନ୍ତୁ। ଜୟ ମାତା ଦୀ!

ଗୃହନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ନବଦିନ ବ୍ୟାପୀ ନବରାତ୍ରୀ ପର୍ବ ଆରମ୍ଭ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ଗୋଟାଏ ମନ୍ତ୍ର ପୋଷ୍ଟ୍‍ କରିଛନ୍ତି।

ଶୁଭେଚ୍ଛା ଟୁଇଟ୍‌ରେ ‘ବିଜେପି’ ମୁଖ୍ୟ ଜେ.ପି. ନଡ୍ଡା ଲେଖିଛନ୍ତି, ଓଁ ଦେବୀ ଶୈଳପୁତ୍ରୀ ନମଃ। ଶକ୍ତିର ସଙ୍କେତ ମା ଦୁର୍ଗାଙ୍କ ପବିତ୍ର ଉପାସନା ଉତ୍ସବ ନବରାତ୍ରୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା। ପ୍ରତ୍ୟେକଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି, ଖ୍ୟାତି ଏବଂ ସ୍ୱାସ୍ଥ୍ୟ ନିମନ୍ତେ ଜଗତ୍‌ ଜନନୀ ମା ଦୁର୍ଗାଙ୍କୁ ପ୍ରାର୍ଥନା କରୁଛି। ‘ଜୟ ମାତା ଦୀ’ ।