ଭୁବନେଶ୍ୱର: ଗତ ମାସ ୮ ତାରିଖରେ ବାଲୁଗାଁ ଏନ୍ଏସି ଅଫିସ୍ରେ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ମାମଲାରେ ଶୁକ୍ରବାର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଆବେଦନ ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ଖାରଜ ହୋଇଛି । ଏହାପରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଜେଲ୍ ଯିବାକୁ ପଡ଼ିଛି । ଖୋର୍ଦ୍ଧା ଡାକ୍ତରଖାନାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।
ସେଠାରେ ତାଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା ଓ ଏହାର ଫଳାଫଳ ନେଗେଟିଭ୍ ଆସିଥିଲା । ଏହାପରେ ତାଙ୍କୁ ଖୋର୍ଦ୍ଧା ସବ୍ ଜେଲ୍କୁ ପଠାଇ ଦିଆଯାଇଛି । ଏହି ଆକ୍ରମଣ ଘଟଣା ପରଠାରୁ ବିଧାୟକ ପ୍ରଶାନ୍ତ ଜଗଦେବ ଫେରାର୍ ଥିଲେ । ଏହାପରେ ପ୍ରଶାନ୍ତ ଜଗଦେବଙ୍କ ପକ୍ଷରୁ ହାଇକୋର୍ଟଙ୍କ ନିକଟରେ ଆଗୁଆ ଜାମିନ ଆବେଦନ ପାଇଁ ଆବେଦନ ଦାଖଲ କରାଯାଇଥିଲା ।
କିନ୍ତୁ ଚଳିତ ମାସ ୫ ତାରିଖରେ ହାଇକୋର୍ଟ ଏହାକୁ ଖାରଜ କରିଦେବାରୁ ବାଧ୍ୟହୋଇ ପ୍ରଶାନ୍ତ ଜଗଦେବ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଏସ୍ସି/ଏସ୍ଟି କୋର୍ଟରେ ନିଜ ଆଡ଼ୁ ଆତ୍ମସମର୍ପଣ କରିବା ସହ ଜାମିନ ପାଇଁ ଆବେଦନ କରିଥିଲେ । କିନ୍ତୁ କୋର୍ଟ ଏହି ଆବେଦନକୁ ଖାରଜ କରିବା ସହ ତଳ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।