ଭୁବନେଶ୍ବର,୨୦/୧୦: ଆଜି ଭୁବନେଶ୍ବର ଆଇଆଇଟିର ୧୦ମ ସମାବର୍ତନ ଉତ୍ସବ ଅନୁଷ୍ଠିତ ହେବ। କରୋନା ମହାମାରୀ ପାଇଁ ଏଥର ଫିଜିକାଲ ଉତ୍ସବ ବଦଳରେ ଅଭିନବ ଉପାୟରେ ଉତ୍ସବ କରାଯିବ। ଉଭୟ ଅନ୍ଲାଇନ୍ ଓ ଫିଜିକାଲ ମୋଡ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଇନ୍ଫୋସିସ୍ର ପ୍ରତିଷ୍ଠାତା ଏନ୍.ଆର ନାରାୟଣମୂର୍ତ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନ୍ଲାଇନ୍ରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଆଇଆଇଟି ଭୁବନେଶ୍ବରର ବୋର୍ଡ ଅଫ୍ ଗର୍ଭଣ୍ଣର୍ସ(ବିଓଜି)ର ଚେୟାରମ୍ୟାନ୍ ରାଜେନ୍ଦ୍ର ପ୍ରସାଦ ସିଂ ଉତ୍ସବରେ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ନିର୍ଦେଶକ ଆର୍.ଭି ରାଜାକୁମାର ସାମବର୍ତ୍ତନ ଉତ୍ସବର ରିପୋର୍ଟ ଉପସ୍ଥାପନ ସହ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରିବେ।
ଜଟଣୀ ଅରୁଗୁଳସ୍ଥିତ କ୍ୟାମ୍ପସରେ ପୂର୍ବାହ୍ନରେ ହେବାକୁ ଥିବା ଏହି ଉତ୍ସବରେ ୪ଜଣଙ୍କୁ ସ୍ବର୍ଣ୍ଣପଦକ ଓ ୧୭ଜଣ ଛାତ୍ରଛାତ୍ରୀଙ୍କୁ ରୌପ୍ୟପଦକ ପ୍ରଦାନ କରାଯିବ। ବି.ଟେକ୍ ଛାତ୍ର ଦିନେଶ ମହାନ୍ତି ରାଷ୍ଟ୍ରପତି ସ୍ବର୍ଣ୍ଣପଦକ ପାଇବାକୁ ଥିବା ବେଳେ ଡୁଆଲ ଡିଗ୍ରି(ବିଟେକ୍+ଏମ୍ଟେକ୍)ର ଛାତ୍ର ଶିବମ୍ ହଣ୍ଡା, ଏମ୍.ଟେକ୍ ଛାତ୍ର ଶାଶ୍ବତ କୁମାର ପଣ୍ଡା, ଏମ୍.ଏସ୍ସି ଛାତ୍ର ହିତେଶ ଗୁପ୍ତା ନିର୍ଦେଶକ ସ୍ବର୍ଣ୍ଣପଦକ ପାଇବେ। ଏହାବ୍ୟତୀତ ବିଭିନ୍ନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖି କୃତିତ୍ବ ହାସଲ କରିଥିବା ୧୭ଜଣ ଛାତ୍ରଛାତ୍ରୀଙ୍କୁ ରୌପ୍ୟପଦକ ପ୍ରଦାନ କରାଯିବ। ବି.ଟେକ୍ ପାଠ୍ୟକ୍ରମରେ ଦିନେଶ ମହାନ୍ତି, ସୁଧାଂଶୁ ଚୌଧୁରୀ, କୁଲଦୀପ ଗୁପ୍ତା, ରଞ୍ଜିତ କେ ଓ ଜିସ୍ନୁଶଙ୍କର ବରୁହା, ଏମ୍.ଟେକ୍ ପାଠ୍ୟକ୍ରମରେ ଶାଶ୍ବତ କୁମାର ପଣ୍ଡା, ରୋହିତ ଦିଲ୍ଲୀପ ଅଗ୍ରୱାଲ, ସୁସ୍ମିତ୍ ଶୁଭ୍ରାଂଶୁ ଶତପଥୀ, କୋନା ସାଇ ବିକାଶ, ସୌମ୍ୟାଶ୍ରୀ ବିଶୋଇ, ଶିବାଙ୍ଗୀ ଶ୍ରୀବାସ୍ତବ ଓ ରାଜୀବ କୁମାର ମଲ୍ଲିକ, ଏମ୍.ଏସ୍ସି ପାଠ୍ୟକ୍ରମରେ ହିତେଶ ଗୁପ୍ତା, ବିକାସ୍ମିତା ସାମନ୍ତ, ଆଦିତ୍ୟ କୁମାର ଓ ରାଜୀବ କୁମାର ମଲ୍ଲିକ ରୌପ୍ୟପଦକ ପାଇବେ। ଏହାବ୍ୟତୀତ ବିଭିନ୍ନ ବର୍ଗରେ ୪ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବ। ମୋଟ ୫୫୯ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯିବ। ୩୫ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍ଡି ଡିଗ୍ରି, ୧୫୩ଜଣଙ୍କୁ ଏମ୍.ଟେକ୍, ୭୯ଜଣଙ୍କୁ ଏମ୍.ଏସ୍ସି ଓ ୨୫୬ଜଣ ଛାତ୍ରଛାତ୍ରୀଙ୍କୁ ବି.ଟେକ୍ ଓ ୩୬ ଜଣଙ୍କୁ ଡୁଆଲ ଡିଗ୍ରି ଦିଆଯିବ। ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର୍ ରାଜାକୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଅନ୍ଲାଇନ୍ରେ ହେବାକୁ ଥିବା ଏହି ଉତ୍ସବରେ ଭାଗ ନେବା ଲାଗି ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତଥର ପରି ଏଥର ମଧ୍ୟ ଅଭିନବ ଉପାୟରେ କାର୍ଯ୍ୟକ୍ରମ କରାଯିବ।