ଭବାନୀପାଟଣା,୮/୧୧: ମୋ ପାଇଁ ସମସ୍ତଙ୍କ ଜୀବନ ମୂଲ୍ୟବାନ। ରାଜ୍ୟର ଜଣେ ବି କେହି ଯେପରି ଚିକିତ୍ସା ଅଭାବରୁ ମୃତ୍ୟୁବରଣ ନ କରନ୍ତି ସେନେଇ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଆଜି କଳାହାଣ୍ଡି ଭବାନୀପାଟଣାରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ ବଣ୍ଟନ ଅବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଠାରୁ କାଞ୍ଚନ ମାଝୀ ସମେତ ୧୦ ଜଣ ମହିଳା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ର ସ୍ମାର୍ଟକାର୍ଡ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି କଳାହଣ୍ଡି ଉନ୍ନତି ପଥରେ ଆଉ ପାଦେ ଆଗେଇଛି। ସୁସ୍ଥ କଳାହାଣ୍ଡି ବାସୀଙ୍କ ପାଇଁ ସ୍ମାର୍ଟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଏହାଦ୍ୱାରା ଉପକୃତ ହେବେ। ଫଳରେ ଗରିବ ଲୋକମାନେ ମାଗଣାରେ ସ୍ୱାସ୍ଥ୍ୟସେବା ପାଇପାରିବେ। ଗୋଟିଏ କାର୍ଡରେ ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଉନ୍ନତ ମାନର ଚିକିତ୍ସା ଉପଲବ୍ଧ ହୋଇପାରିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାରେ ୧୭୯.୧୧୫ କୋଟି ଟଙ୍କା ବ୍ୟୟରେ ୨୦୧ ଟି ନୂତନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସହ ମଞ୍ଚରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବକିଶୋର ଦାସ, ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟା. ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଜିଲ୍ଲାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଅତୁଳନୀୟ। ଜିଲ୍ଲାର ବିକାଶକୁ ଦେଖି ବିରୋଧୀଙ୍କ ଛାତି ଧଡ ଧଡ ହେଉଛି ଓ ସହିପାରୁନାହାନ୍ତି ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ୫-ଟି ସଚୀବ ବି.କେ ପାଣ୍ଡିଆନ୍ ଉପସ୍ଥିତ ଥିବା ବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଧନ୍ୟବାଦ ଦେଇଥିଲେ।