ଇସ୍ତଫା ଦେଲେ ଗେହଲଟ ସରକାରଙ୍କ ସମସ୍ତ ମନ୍ତ୍ରୀ

ଜୟପୁର, ୨୦/୧୧: ରାଜସ୍ଥାନରେ କ୍ୟାବିନେଟ୍‌ ଅଦଳବଦଳ ‌ପୂର୍ବରୁ ଅଶୋକ ଗେହଲଟଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଘରେ ବୈଠକ ହେବା ପରେ ସବୁ ମନ୍ତ୍ରୀ ପାର୍ଟି ହାଇକମାଣ୍ଡଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି। ଏନେଇ ରାଜ୍ୟର ପରିବହନ ମନ୍ତ୍ରୀ ପ୍ରତାପ ସିଂହଙ୍କ ପାଖରୁ ସୂଚନା ମିଳିଛି ।

ମନ୍ତ୍ରିପରିଷଦର ବୈଠକ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇ ଦେଇଛନ୍ତି ବୋଲି ​‌ସେ କହିଛନ୍ତି। ତେବେ ଏହା ପରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ରବିବାର ଦୂଆ ମନ୍ତ୍ରୀମାନେ ଶପଥ ନେଇପାରନ୍ତି ବୋଲି କୁହାଯାଉଛି।

ଏହା ପୂର୍ବରୁ ରାଜସ୍ବ ମନ୍ତ୍ରୀ ହରୀଶ ଚୌଧୁରୀ, ଚିକିତ୍ସା ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ରଘୁ ଶର୍ମା ଏବଂ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଥିଲେ। ଏବେ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୧ ଜଣ ସଦସ୍ୟ ଥିଲେ। ରାଜ୍ୟରେ ବିଧାୟକଙ୍କ ସଂଖ୍ୟା ୨୦୦ ଥିବା ବେଳେ ଅତି ବେଶୀରେ ୩୦ ଜଣ ମନ୍ତ୍ରୀ ରହିପାରିବେ ।