ବାହାଘର ଡିଜେ ସାଉଣ୍ଡ ଶୁଣି ମରିଗଲେ ୬୩ କୁକୁଡ଼ା

ନୀଳଗିରି,୨୩/୧୧: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ବାହାଘରରେ ବରଯାତ୍ରୀ ଦଳ ଡିଜେ ବଜାଇବାରୁ ଫାର୍ମ ଭିତରେ ଥିବା ୬୩ଟି କୁକୁଡ଼ା ମରିଯିବାରୁ ଏନେଇ କୁକୁଡ଼ା ଫାର୍ମ ମାଲିକ ଥାନାରେ ଏତଲା ଦେଇଛନ୍ତି।

ନୀଳଗିରି ଥାନା କାଣ୍ଡଗରଡ଼ି ଗାଁର ଧୀରେନ୍ଦ୍ର ପରିଡ଼ାଙ୍କ ପୁଅ ରଣଜିତ ଏକ କୁକୁଡ଼ା ଫାର୍ମ କରିଛନ୍ତି। ଗତ ରବିବାର ସେହି ଗାଁର ରାମଚନ୍ଦ୍ର ପରିଡ଼ାଙ୍କ କନ୍ୟାଙ୍କ ସହ ସିମୁଳିଆ ଥାନା ଅଧୀନ ମଇତାପୁର ଅଞ୍ଚଳର ଫକୀର ରାଉତଙ୍କ ପୁଅଙ୍କ ବିବାହ ହୋଇଥିଲା। ରାତି ପ୍ରାୟ ୧୧ଟା ୧୫ମିନିଟରେ ବରଯାତ୍ରୀ ଦଳ ଉଚ୍ଚ ଶବ୍ଦରେ ଡିଜେ ବଜାଇ ଗାଁରେ ନାଚଗୀତରେ ମସଗୁଲ ରହିଥିଲେ। ଯେଉଁ ଶବ୍ଦ ଶୁଣି କୁକୁଡ଼ା ଫାର୍ମରେ ଥିବା ୨ହଜାର କୁକୁଡ଼ା ସବୁ ନିଜ ନିଜ ଭିତରେ ଧକ୍କା ଲାଗି ଯାଇଥିଲେ। ଫାର୍ମ ଭିତରେ କୁକୁଡ଼ା ଉଡ଼ିବାରୁ ସେମାନଙ୍କ ମଧ୍ୟରୁ ୬୩ଟି କୁକୁଡ଼ା ମରି ଯାଇଛନ୍ତି। ସେପଟେ ଜୋର ଶବ୍ଦ ବନ୍ଦ କରିବାକୁ ଫାର୍ମ ମାଲିକ ଗୁହାରି କରିଥିଲେ ହେଁ ବରଯାତ୍ରୀ ଦଳ କିଛି ଭ୍ରୁକ୍ଷେପ କରିନଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଫାର୍ମ ମାଲିକ କନ୍ୟାପକ୍ଷଙ୍କୁ କ୍ଷତିପୂରଣ ମାଗିବାରୁ ସେମାନେ ଆପୋଷ ବୁଝାମଣା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହି ଘଟଣାର କୌଣସି ସମାଧାନ ପନ୍ଥା ବାହାରି ନପାରି ଶେଷରେ ଫାର୍ମ ମାଲିକ ନୀଳଗିରି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ଆଇଆଇସି ଦ୍ରୌପଦୀ ଦାସ ଏହି ଘଟଣାରେ ତଦନ୍ତ କରୁଥିବା ଦେଖିବାକୁ ମିଳିଛି।