ନୂଆଦିଲ୍ଲୀ,୨୫/୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରସ୍ଥିତ ଜେୱର ଠାରେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର (ଏନଆଇଏ) ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ବିମାନ ବନ୍ଦର ନିର୍ମାଣ ପରେ ଉତ୍ତର ପ୍ରଦେଶ ହେବ ପାଞ୍ଚଟି ଅନ୍ତର୍ଜାତୀୟ ବିମାନ ବନ୍ଦର ଥିବା ଦେଶର ଏକମାତ୍ର ରାଜ୍ୟ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ‘ରାଷ୍ଟ୍ର ପ୍ରଥମେ’ ଏହି ନୀତିକୁ ଅନୁସରଣ କରୁ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ କିଛି ସପ୍ତାହ ମଧ୍ୟରେ ବିରୋଧୀଦଳ ଦ୍ୱାରା କି ପ୍ରକାର ରାଜନୀତି କରାଯାଇଥିଲା ତାହା ୟୁପି ଏବଂ ଦେଶର ଲୋକମାନେ ସାକ୍ଷୀ ରହିଛନ୍ତି କିନ୍ତୁ ଦେଶ ବିକାଶ ପଥରେ ଅଟକି ନାହିଁ । ୟୁପିରେ ଏକକାଳୀନ ନଅଟି ମେଡିକାଲ କଲେଜ ଆରମ୍ଭ ହୋଇ ଏକ ନୂତନ ଇତିହାସ ଲେଖାଯାଇଛି। ମହୋବା ଏବଂ ଝାନସିରେ ମଧ୍ୟ ଅନେକ କାର୍ଯ୍ୟ କରାଯାଇଛି। ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ମଧ୍ୟ ୟୁପି ପାଇଁ ଉତ୍ସର୍ଗୀକୃତ ହୋଇଥିଲା। ସେହି ମାସରେ ମହାରାଷ୍ଟ୍ରର ପଣ୍ଡରପୁରରେ ଶହ ଶହ କିଲୋମିଟର ବିଶିଷ୍ଟ ଏକ ଜାତୀୟ ରାଜପଥ ଉଦଘାଟନ କରାଯାଇଥିଲା। କିଛି ରାଜନୈତି ଦଳର ଇଚ୍ଛା ଆମର ଦେଶପ୍ରେମ ସାମ୍ନାରେ ପ୍ରତିବନ୍ଧକ ଭାବେ ଠିଆ ହୋଇପାରିବ ନାହିଁ । ଏହି ଅଗ୍ରଗତି ଆମକୁ ଆଗକୁ ନେଇଯିବ।
ସୂଚନାଯୋଗ୍ୟ, ବିମାନ ଯୋଗାଯୋଗରେ ସୁଧାର ଆଣିବା ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ବିମାନ ଚଳାଚଳ କ୍ଷେତ୍ରର ପ୍ରୋତ୍ସାହନ ଲାଗି ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଆଧାରରେ ଏହି ବିମାନ ବନ୍ଦର ବିକଶିତ କରାଯାଉଛି । ଏହି ବୃହତ ପରିକଳ୍ପନା ଅଧୀନରେ ଉତ୍ତର ପ୍ରଦେଶ ରାଜ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଫଳରେ ରାଜ୍ୟରେ ଏକାଧିକ ନୂତନ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କରାଯାଉଛି । ନିକଟରେ କୁଶୀନଗର ଅନ୍ତର୍ଜାତୀୟ ବିମାନ ବନ୍ଦର ଉଦଘାଟିତ ହୋଇଛି ଏବଂ ଅଯୋଧ୍ୟା ଠାରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣାଧୀନ ରହିଛି ।
ଦିଲ୍ଲୀ ଜାତୀୟ ରାଜଧାନୀ କ୍ଷେତ୍ରରେ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର ଭାବେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ବିକଶିତ କରାଯାଉଛି । ଏହା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରୀ ଭିଡ଼ ହ୍ରାସ କରିବାରେ ସହାୟକ ହେବ । ନୂତନ ବିମାନ ବନ୍ଦର ରଣନୈତିକ ଦୃଷ୍ଟିକୋଣରୁ ଏପରି ଏକ ସ୍ଥାନରେ ନିର୍ମାଣ କରାଯାଉଛି ଯାହାର ଲାଭ ଦିଲ୍ଲୀ, ନୋଏଡ଼ା, ଗାଜିଆବାଦ, ଅଲିଗଡ଼, ଆଗ୍ରା, ଫରିଦାବାଦ ଏବଂ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ମିଳିପାରିବ।
ପ୍ରଥମ ପର୍ଯ୍ୟାୟରେ ବିମାନ ବନ୍ଦର ବିକାଶ କାର୍ଯ୍ୟ ପାଇଁ ୧୦ ହଜାର ୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୧୩୦୦ ହେକ୍ଟରରୁ ଅଧିକ ଜମିରେ ନିର୍ମାଣ ହେବାକୁ ଥିବା ଏହି ବିମାନ ବନ୍ଦର ବାର୍ଷିକ ୧ କୋଟି ୨୦ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇ ଦେବ ଏବଂ ଏହାର ନିର୍ମାଣ କାର୍ଯ୍ୟ ୨୦୨୪ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କନସେସନେୟାର ଭାବେ ଅନ୍ତର୍ଜାତୀୟ ବିଡର ଜୁରିଚ୍ ଏୟାରପୋର୍ଟ ଇଣ୍ଟରନ୍ୟାସନାଲ ଏଜି ଏହି ପ୍ରକଳ୍ପ ନିର୍ମାଣ କରିବ। ଭୂମି ଅଧିଗ୍ରହଣ ଏବଂ ବିସ୍ଥାପିତ ପରିବାରମାନଙ୍କ ଥଇଥାନ ଲାଗି ପ୍ରଥମ ପର୍ଯ୍ୟାୟ ପ୍ରାରମ୍ଭିକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି।