କୃଷି ଆଇନ ପ୍ରତ୍ୟାହାର ବିଧେୟକ ସଂସଦରେ ଗୃହୀତ

ନୂଆଦିଲ୍ଲୀ,୨୯/୧୧ : ୩ କୃଷି ଆଇନ ପ୍ରତ୍ୟାହାର ବିଧେୟକ ଆଜି ସଂସଦରେ ଗୃହୀତ ହୋଇଛି। କୃଷି ଆଇନ ପ୍ରତ୍ୟାହାର ବିଲ୍ ଉପରେ ଆଲୋଚନା ପାଇଁ ବିରୋଧୀ ଜିଦ୍ ଧରିଥିଲେ ମଧ୍ୟ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ନଥିଲେ। ପ୍ରବଳ ହଟ୍ଟଗୋଳ ସତ୍ତ୍ବେ ଉଭୟ ଲୋକସଭା ଓ ରାଜ୍ୟସଭାରେ କୃଷି ଆଇନ ପ୍ରତ୍ୟାହାର ବିଧେୟକ ପାରିତ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଏହି ୩ କୃଷି ଆଇନ ଉଚ୍ଛେଦ ହେବ।

କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରଥମେ ଲୋକସଭାରେ ଏହି ବିଲ୍‌ ଆଗତ କରିଥିଲେ। ଲୋକସଭାରେ ମାତ୍ର ୪ ମିନିଟରେ ୩ କୃଷି ଆଇନ ପ୍ରତ୍ୟାହାର ବିଧେୟକ ପାରିତ ହୋଇଥିଲା। ଦିନ ୧୨ଘ. ୬ମି.ରେ ବିଲ୍‌ ଆଗତ ହୋଇଥିଲା ଏବଂ ବିରୋଧୀଙ୍କ ଆଲୋଚନା ଦାବି ଓ ପ୍ରବଳ ହଟ୍ଟଗୋଳ ମଧ୍ୟରେ ୧୨ଘ. ୧୦ମି.ରେ ଏହା ପାରିତ ହୋଇଥିଲା।

ସେହିପରି ରାଜ୍ୟସଭାରେ ଏକ ସଂକ୍ଷିପ୍ତ ଆଲୋଚନା ପରେ ୩ କୃଷି ଆଇନ ପ୍ରତ୍ୟାହାର ବିଧେୟକ ପାରିତ ହୋଇଥିଲା। ଗୃହରେ କଂଗ୍ରେସର ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଥିଲେ ଯେ, ବିଲ୍ ଉପରେ ସମସ୍ତ ଦଳ ସହମତି ପ୍ରକାଶ କରିଛନ୍ତି ଏବଂ ଏହାକୁ କେହି ବିରୋଧ କରୁନାହାନ୍ତି।