ମୁମ୍ବାଇ,୨୬/୩: ଆଉ କିଛି ସମୟ ପରେ ଆଇପିଏଲର ପଞ୍ଚଦଶ ସଂସ୍କରଣ ଆରମ୍ଭ ହେବ । ଦୁଲୁକିବ ଓ୍ୱାଙ୍ଖଡେ ଷ୍ଟାଡିୟମ । ପ୍ରଶଂସକ ଉଲ୍ଲସିତ, ସଭିଁଙ୍କ ମନରେ ନୂଆ ଉନ୍ମାଦନା । ଆଇପିଏଲ୍ ପ୍ରେମୀଙ୍କ ମହଲରେ ଭରପୁର ଉତ୍କଣ୍ଠା । ଘରୋଇ ମାଟିକୁ ଫେରିଛି ଆଇପିଏଲ୍ । ଯାହା ବି ହେଉ ମହାମାରୀର କଟକଣା ମଧ୍ୟରେ ଆଜିଠାରୁ ଲିଗର ପଞ୍ଚଦଶ ସଂସ୍କରଣର ମହାସମର ଆରମ୍ଭ ହେବାକୁ ଯାଉଛି । ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ଉଦ୍ଘାଟନୀ ମ୍ୟାଚ୍ରେ ମୁହାଁମୁହିଁ ହେବେ । ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରୁ ଆରମ୍ଭ ହେବ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ।
ଆଇପିଏଲର ପଞ୍ଚଦଶ ସଂସ୍କରଣରେ ଦୁଇଟି ନୂଆ ଦଳ ସହ ଲିଗର ନବକଳେବର ହୋଇଛି । ୨୦୨୦ ସଂସ୍କରଣର ସଂପୂର୍ଣ୍ଣ ସିଜନରେ ୟୁଏଇରେ ହୋଇଥିଲା । ଯଦିଓ ୨୦୨୧ ସିଜନ ଘରୋଇ ମାଟିରେ ଆରମ୍ଭ ହୋଇଥିଲା କିନ୍ତୁ ମହାମାରୀ ଯୋଗୁ ସମ୍ପୂର୍ଣ୍ଣ ହୋଇପାରି ନଥିଲା । ଶେଷରେ ସିଜନର ଅବଶିଷ୍ଟ ମ୍ୟାଚ୍ ପୁଣି ୟୁଏଇରେ ଖେଳାଯାଇଥିଲା। କିନ୍ତୁ ୨୦୨୨ ସଂସ୍କରଣ ସଂପୂର୍ଣ୍ଣ ଭାବେ ଘରୋଇ ଭେନ୍ୟୁରେ ଆୟୋଜିତ ହେବ । ସେଥିପାଇଁ ମୁମ୍ବାଇ ଓ ପୁନେରେ ୪ଟି ଭେନ୍ୟୁ ଚୟନ କରାଯାଇଛି। ଲିଗର ସମସ୍ତ ମ୍ୟାଚ୍ ଏହି ଭେନ୍ୟୁରେ ଖେଳାଯିବ।