ନୂଆଦିଲ୍ଲୀ,୨୯/୧୧: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ଗୁରୁବାର ନିଜ ଛାଡପତ୍ର ଆବେଦନକୁ ଫେରାଇ ନେଇଛନ୍ତି । ଆଜି ଏହି ମାମଲାର ପ୍ରଥମ ଶୁଣାଣି ହୋଇଛି । ତେଜ ପ୍ରତାପ ନଭେମ୍ବର ୩ରେ ପାଟନା ପରିବାର ଅଦାଲତରେ ପତ୍ନୀ ଐଶର୍ଯ୍ୟାଙ୍କୁ ଛାଡପତ୍ର ଦେବାକୁ ଆବେଦନ କରିଥିଲେ । ସୂଚନାଯୋଗ୍ୟ କି, ଐଶର୍ଯ୍ୟା ଓ ତେଜ ପ୍ରତାପଙ୍କ ବିବାହକୁ ମାତ୍ର ୬ ମାସ ହୋଇଛି । ତେଜ ପ୍ରତାପ ନିଜ ବିବାହ ପାଇଁ ପରିବାର ଓ ଦଳର ଲୋକଙ୍କୁ ଦାୟୀ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ପରିବାର ଓ ଦଳର ଲୋକ ନିଜ ରାଜନୈତିକ ଲାଭ ପାଇଁ ତାଙ୍କୁ ବ୍ୟବହାର କରିଛନ୍ତି ।
ସେହିଭଳି ଐଶର୍ଯ୍ୟା ମଧ୍ୟ ଏପରି ଏକ ପରିବାରରୁ ଆସିଛନ୍ତି ଯିଏ କି, ଦୀର୍ଘ ଦିନ ଧରି ରାଜନୀତି ସହିତ ସମ୍ପୃକ୍ତ ରହିଛନ୍ତି । ତାଙ୍କ ଜେଜେ ବାପା ଦରୋଗା ପ୍ରସାଦ ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଥିଲେ ଓ ତାଙ୍କ ବାପା ଚନ୍ଦ୍ରିକା ରାୟ ମଧ୍ୟ ରାଜନୀତି ସହିତ ଜଡିତ ଅଛନ୍ତି ।
ସୂଚନା ଅନୁଯାୟୀ, ତେଜ ପ୍ରତାପ ପାଟନାର କୌଣସୀ ଏକ ହେଟେଲରେ ରହୁଛନ୍ତି । ସେ ଆଜି ସକାଳେ ପାଟନା ପହଂଚିଥିଲେ। ତେଜ ପ୍ରତାପଙ୍କ ବନ୍ଧୁମାନେ କହିଛନ୍ତି କି, ଏହି ମାମଲାର ସମାଧାନ ହେବା ପରେ ସେ ନିଜ ରାଜନୈତିକ ଜୀବନକୁ ଫେରିଯିବେ ଓ ପୂର୍ବଭଳି ସମସ୍ତ ଦାୟିତ୍ୱ ଗ୍ରହଣ କରିବାକୁ ଚେଷ୍ଟା କରିବେ । ସେ ମଧ୍ୟ ଏଥିରେ ସମ୍ମତି ପ୍ରକାଶ କରିଛନ୍ତି ।