ସ୍କୁଲ ହଷ୍ଟେଲ ଛାତରୁ ଡେଇଁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା : ପ୍ରଧାନଶିକ୍ଷକ ଥାନାରେ ଅଟକ

ସୁନ୍ଦରଗଡ଼,୧/୪ : ସୁନ୍ଦରଗଡ଼ ଜିଲ୍ଳା ଲେଫ୍ରିପଡା ଥାନା ଅନ୍ତର୍ଗତ ପଟୁଆଡିହି ପଞ୍ଚାୟତ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଅପର୍ଣ୍ଣା ପାଣ୍ଡେକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମ ସୁନ୍ଦର ପଟେଲ ଯୌନ ନିର୍ଯାତନା ଦେଇ ଆସୁଥିଲେ। ଏନେଇ ଅପୂର୍ଣ୍ଣ ପୂର୍ବରୁ ମଧ୍ୟ ଅଭିଯୋଗ କରି ଆସୁଥିଲେ। ଆଜି କିନ୍ତୁ ପ୍ରଧାନଶିକ୍ଷକଙ୍କ ବ୍ୟବହାର ସୀମା ଟପିଥିଲା। ଶେଷରେ ଅପର୍ଣ୍ଣା ଆଜି ଅପରାହ୍ନ ପ୍ରାୟ ୧ଟାରେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲା। ଲେଫ୍ରିପଡା ଆଇଆଇସି ହେମାଙ୍ଗିନୀ ଗର୍ଡିଆ ନିଜର ଟିମ୍‌ ନେଇ ବିଦ୍ୟାଳୟକୁ ପହଞ୍ଚି ମୃତଦେହ ଜବତ କରିଛନ୍ତି। ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି। ଅନୁସନ୍ଧାନ କରିଥିବା ବେଳେ ଅଭିଯୁକ୍ତ ପ୍ରଧାନଶିକ୍ଷକ ଶ୍ୟାମ ସୁନ୍ଦର ପଟେଲ, ସହକାରୀ ଶିକ୍ଷକ ରାଧାକାନ୍ତ ନାଏକ ଓ ପ୍ରିୟଦର୍ଶିନୀ ବେହେରାଙ୍କୁ ଥାନାକୁ ଆଣି ପଚରାଉଚରା କରୁଛନ୍ତି।

ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ ଅବଗତ ହୋଇଛନ୍ତି। ଶ୍ରୀ ପ୍ରଧାନ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପୂର୍ବରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯାଇଛନ୍ତି। ଏଥି ସହିତ ସେ କହିଛନ୍ତି, ଯୌନ ନିର୍ଯାତନା ଉଦ୍ୟମ ନେଇ ଅଭିଯୋଗ ହୋଇଛି। ଏନେଇ ପୁଲିସ ଘଟଣାର ତଦନ୍ତ କରୁଛି। ପ୍ରକୃତ ଘଟଣା ସାମ୍ନାକୁ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।