ନୂଆଦିଲ୍ଲୀ,୧/୪: ଦ୍ୱିତୀୟ ଥର ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନରେ ମୋଡରେ ଯୋଗୀ ଆଦିତ୍ୟନାଥ। ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବୁଲଡୋଜୋର ଚଲାଇବା ଆରମ୍ଭ କରିଛନ୍ତି । ଏହାସହ କାମରେ ଅବହେଳା କରୁଥିବା ପୋଲିସ ଅଧିକାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ଯୋଗୀ।
ଅଯୋଧ୍ୟା ଗସ୍ତ କରିବା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ବାସଭବନରେ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଏଥିରେ ଆସନ୍ତା ୧୦୦ ଦିନର ଏଜେଣ୍ଡା ନିର୍ଦ୍ଧାରଣ କରାଯାଇଛି । ଏହାସହ ରାଜ୍ୟ ପୋଲିସ ବିଭାଗରେ ଖାଲି ପଡିଥିବା ପଦବୀ ଗୁଡିକରେ ଶୀଘ୍ର ଭର୍ତ୍ତି ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।
ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଛନ୍ତି, ପ୍ରତି ଥାନାରେ ଟପ ୧୦ ଅପରାଧୀଙ୍କ ଏକ ସୂଚୀ ପ୍ରସ୍ତୁତ କରାଯିବ। ଅଭିଯୁକ୍ତ ବିରୁଦ୍ଧରେ ଯେପରି କଠୋର କାର୍ଯ୍ୟାନୁଷ୍ଠାନ ହେବ ତାହା ମଧ୍ୟ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।