ମୁମ୍ବାଇ,୧/୪: ଆଇପିଏଲ ୨୦୨୨ରେ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଆସିଛି ଖୁସିର ଖବର। ଏପ୍ରିଲ ୬ରୁ ୫୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ମିଳିବ। ଆଇପିଏଲର ଟିକେଟିଂ ପାର୍ଟନର ‘ବୁକ୍ ମାଇଁ ଶୋ’ ଶୁକ୍ରବାର ଏହାର ସୂଚନା ଦେଇଛି। ଆରମ୍ଭରୁ କିଛି ମ୍ୟାଚ୍ ପାଇଁ ୨୫ ପ୍ରତିଶତ ଦର୍ଶକଙ୍କୁ ହିଁ ଷ୍ଟାଡିୟମରେ ପ୍ରବେଶ ଅନୁମତି ମିଳିଥିଲା। ଏବେ ଏଥିରେ ବୃଦ୍ଧି ଘଟିଛି। ଚଳିତ ଆଇପିଏଲ ମହାରାଷ୍ଟ୍ରର ଚାରୋଟି ଷ୍ଟାଡିୟମରେ ଖେଳାଯାଉଛି।
ଆଇପିଏଲ ଆରମ୍ଭ ହେବା ପୂର୍ବରୁ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଚାରୋଟି ପଡିଆ ଓ୍ଵାଙ୍ଖେଡେ ଷ୍ଟାଡିୟମ(ମୁମ୍ବାଇ), ବ୍ରାବୋର୍ଣ୍ଣ ଷ୍ଟାଡିୟମ, ଡିଓ୍ଵାଇ ପାଟିଲ୍ ଷ୍ଟାଡିୟମ ଏବଂ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ୨୫ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ଦେଇଥିଲା। ବୁକ୍ ମାଇ ଶୋ ନିଜର ପ୍ରେସ ବିଜ୍ଞପ୍ତିରେ ଜଣାଇଛି ଯେ, ଆଗାମୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇ ଯାଇଛି। ଏବେ ଦର୍ଶକଙ୍କ ଗହଳିରେ ଉଚ୍ଛୁଳିବ ଷ୍ଟାଡିୟମ। ଦେଶୀ ଏବଂ ବିଦେଶୀ ଦର୍ଶକଙ୍କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ଗୁରୁବାର ରାଜ୍ୟରେ କରୋନା କଟକଣା ହଟାଇବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ରରେ କରୋନା ସଂପର୍କିତ ସମସ୍ତ କଟକଣା ଏପ୍ରିଲ ୨ରେ ସମାପ୍ତ ହେବ। ଏପରିକି ମାସ୍କ ଲଗାଇବା ମଧ୍ୟ ଜରୁରୀ ନୁହେଁ। ରାଜ୍ୟରେ କରୋନା କେସ୍ ପ୍ରାୟତଃ ଥମି ଯାଇଛି। ମାସ୍କ ପିନ୍ଧିବା ସ୍ଵେଚ୍ଛାକୃତ ବୋଲି ମହାରାଷ୍ଟ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।