IPL- 2022 : ଚେନ୍ନାଇର କ୍ରମାଗତ ତୃତୀୟ ପରାଜୟ, ୫୪ ରନରେ ଜିତିଲା ପଞ୍ଜାବ

ମୁମ୍ବାଇ,୩/୪: ଆଜି ଆଇପିଏଲର ୧୧ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ସହଜରେ ୫୪ ରନରେ ପରାସ୍ତ କରିଛି। ଏଥି ସହ ଚେନ୍ନାଇ ନିଜର କ୍ରମାଗତ ତିନୋଟି ମ୍ୟାଚ୍‌ରେ ପରାଜିତ ହୋଇଛି। ଅନ୍ୟପଟେ ପଞ୍ଜାବ ତିନୋଟି ମ୍ୟାଚ୍‌ରୁ ଦ୍ଵିତୀୟ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଲିୟାମ ଲିଭିଙ୍ଗଷ୍ଟୋନଙ୍କ ଧୂଆଁଧାର ୬୦ ରନର ଇନିଂସ ବଳରେ ପଞ୍ଜାବ ୮ ଓ୍ଵିକେଟ୍ ହରାଇ ୧୮୦ ରନ କରିଥିଲା। ତାଙ୍କ ବ୍ୟତୀତ ଶିଖର ଧାଓ୍ଵନ ୩୩ ରନ ଏବଂ ଜିତେଶ ଶର୍ମା ୨୬ ରନର ଦ୍ରୁତ ବ୍ୟାଟିଂ କରିଥିଲେ। ଜବାବରେ ଚେନ୍ନାଇ ୧୮ ଓଭରରେ ୧୨୬ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଶିବମ ଦୁବେ ୫୭ ରନ କରିଥିଲେ। ଧୋନୀ ୨୩ ରନ କରିଥିବା ବେଳେ ବାକି ବ୍ୟାଟସମ୍ୟାନ ନିରାଶ କରିଥିଲେ। ପଞ୍ଜାବ ପକ୍ଷରୁ ରାହୁଲ ଚହର ୨୫ ରନ ଦେଇ ୩ଟି, ଲିଭିଙ୍ଗଷ୍ଟୋନ ୨୫ ରନ ଦେଇ ୨ଟି ଏବଂ ବୈଭବ ୨୧ ରନ ଦେଇ ୨ଟି ଓ୍ଵିକେଟ୍ ନେଇ ପଞ୍ଜାବକୁ ସହଜ ବିଜୟ ଦେଇଛନ୍ତି।

୧୮୧ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଚେନ୍ନାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ୩୬ ରନରେ ୫ ଓ୍ଵିକେଟ୍ ହରାଇ ସଙ୍କଟରେ ଥିଲା। ଋତୁରାଜ ଗାଏକଓ୍ଵାଡ(୧), ରବିନ ଉଥପ୍ପା(୧୩), ମୋଇନ ଅଲ୍ଲୀ(୦), ଅମ୍ବତି ରାୟୁଡୁ(୧୩) ଓ ଅଧିନାୟକ ଜାଡେଜା ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ତେବେ ଶିବମ ଦୁବେ ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳର ସ୍ଥିତିରେ ସୁଧାର ଆଣିଥିଲେ। ଦୁବେ ଗୋଟିଏ ପଟେ ବିସ୍ଫୋରକ ବ୍ୟାଟିଂ କରିଥିବା ବେଳେ ଅନ୍ୟପଟୁ ଧୋନୀ କ୍ରିଜରେ ଜମି ତାଙ୍କୁ ଉତ୍ତମ ସହଯୋଗ କରିଥିଲେ। ଉଭୟ ବ୍ୟାଟସମ୍ୟାନ କ୍ରିଜରେ ଥିବା ପର୍ଯ୍ୟନ୍ତ ଚେନ୍ନାଇ ଶିବିରରେ ବିଜୟ ଆଶା ରହିଥିଲା।

ପଞ୍ଜାବ କିଙ୍ଗ୍ସର ଆରମ୍ଭ ଆଦୌ ଭଲ ନଥିଲା। ଦଳୀୟ ସ୍କୋର ୪ ରନରେ ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲ(୪) ଆଉଟ୍ ହୋଇଥିଲେ। ଫର୍ମରେ ଥିବା ଭାନୁକା ରାଜପକ୍ଷେ(୯) ପାଭିଲିୟନ ଫେରିଥିଲେ। ଏହା ପରେ ଲିୟାମ ଲିଭିଙ୍ଗଷ୍ଟୋନ ବିସ୍ଫୋରକ ବ୍ୟାଟିଂ କରି ଦଳର ସ୍ଥିତିରେ ସୁଧାର ଆଣିବା ସହ ଦଳର ସ୍କୋରକୁ ୧୦ ଓଭରରେ ୧୦୦ ପାର କରାଇଥିଲେ। ଶିଖର ଏବଂ ଲିୟାମ ଲିଭିଙ୍ଗଷ୍ଟୋନ ତୃତୀୟ ଓ୍ଵିକେଟ୍‌ରେ ୯୫ ରନ ଯୋଡିଥିଲେ। ଧାଓ୍ଵନ ୩୩ ରନ କରି ଆଉଟ୍ ହୋଇଥିଲେ। ହେଲେ ଦଳୀୟ ସ୍କୋର ୧୧୫ ରନରେ ଲିଭିଙ୍ଗଷ୍ଟୋନ ଆଉଟ୍ ହେବା ପରେ ପଞ୍ଜାବର ରନ ଗତି ଧିମେଇ ଯାଇଥିଲା। ଲିୟାମ ଲିଭିଙ୍ଗଷ୍ଟୋନ ୩୨ ବଲ୍‌ରୁ ୫ ଚୌକା ଏବଂ ୫ ଛକା ସହ ୬୦ ରନ କରିଥିଲେ। ମଧ୍ୟ କ୍ରମରେ ଜିତେଶ ଶର୍ମା ୧୭ ବଲ୍‌ରୁ ୩ ଛକା ସହ ୨୬ ରନ କରିଥିଲେ। ତେବେ ଶେଷ ଆଡକୁ ପଞ୍ଜାବର ଇନିଂସ ଧିମେଇ ଯାଇଥିଲା। ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୮୦ ରନ କରି ପାରିଛି। କାଗିସୋ ରାବଡା ୧୨ ରନ କରି ଅପରାଜିତ ଥିଲେ।