ଘରୁ ବାହାରିବା ପୂର୍ବରୁ ଦହି- ଚିନି ଖାଇବା ଶୁଭପ୍ରଦ ହୋଇଥାଏ, ଆସନ୍ତୁ ଜାଣିବା …

କୌଣସି ଶୁଭ କାମରେ ଯିବା ପୂର୍ବରୁ ଆମେ ମିଠା ଦହି ଖାଇଥାଉ । ବହୁ ପୁରାତନ କାଳରରୁ ଏହି ପରମ୍ପରା ଚାଲି ଆସୁଛି । ମିଠା ଦହି ଖାଇ ଘରୁ ବାହାରିଲେ ସବୁ କାମ ସଫଳ ହୁଏ ବୋଲି ବିଶ୍ୱାସ ରହିଛି । ତେବେ ଏହି ପରମ୍ପରା ପଛରେ ମଧ୍ୟ ବୈଜ୍ଞାନିକ କାରଣ ରହିଛି । ଦହି ସ୍ୱାସ୍ଥ୍ୟ ପାଖେ ମଧ୍ୟ ହିତକାରକ । ଆୟୁର୍ବେଦ ଶାସ୍ତ୍ରରେ କୁହାଯାଇଛି ଯେ, ତକ୍ର: ସର୍ବ ବ୍ୟାଧି ନିବାରକ, କେବଳ କଫ ବର୍ଦ୍ଧକମ ।

* ଆମେ ବାହାରକୁ ଯିବାବେଳେ ଏନର୍ଜି ବା ଶକ୍ତିର ଆବଶ୍ୟକତା ହୋଇଥାଏ । ଦହି ଖାଇବା ଦ୍ୱାରା ଆମ ଶରୀରକୁ ତ୍ବରିତ ଶକ୍ତି ବା ଷ୍ଟାମିନା ମିଳିଥାଏ ।

* ଦହିରେ ପ୍ରଚୁର ପରିମାଣର ପ୍ରୋଟିନ ରହିଛି ଯାହାକି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ । ଏହା ଛଡା ଦହିରେ କ୍ୟାଲସିୟମ, ପୋଟାସିୟମ, ଭିଟାମିନ ବି-୬ ଏବଂ ବି-୧୨ ଭଳି ପୋଷଣ ତତ୍ୱ ରହିଛି ।

* ଚିନିରେ ସର୍କରା ରହିଛି ଯାହାକି ଶରୀରକୁ ଶକ୍ତି ଯୋଗାଇଥାଏ । ଖରାରେ ଘରୁ ବାହାରିବା ପୂର୍ବରୁ କିଛି ମାତ୍ରାରେ ଚିନି ଖାଇ ବାହାରିଲେ ଡିହାଇଡ୍ରେସନ ସମସ୍ୟା ଦେଖାଦେଇନଥାଏ ।

* ଦହି ଖାଇବା ଦ୍ୱାରା ଆମର ହାଡ ମଜବୁତ ହୋଇଥାଏ । ଦହିରେ ପାଚନ ଶକ୍ତି ରହିଥିବାରୁ ଦହି ଖାଇବା ଦ୍ୱାରା ପେଟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

* ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଦିନକୁ ୨୦୦ ଗ୍ରାମ ଦହି ଖାଇଲେ ଶରୀରରେ ରୋଗ ପ୍ରତିଶୋଧକ କ୍ଷମତା ମଧ୍ୟ ବଢିଥାଏ ।

ଦହିର ଅନ୍ୟାନ୍ୟ ବହୁ ଗୁଣ ମଧ୍ୟ ରହିଛି । ଆସନ୍ତୁ ଜାଣିବା ସେସବୁ କଣ …

* ଦହିର ମଇଶ୍ଚରାଇଜର ଗୁଣ ରହିଛି ଯାହାକି ରୂଖା ଚର୍ମକୁ ସୁନ୍ଦର ଏବଂ ମୁଲାୟମ ରଖିଥାଏ । ଦହି ପାଚନ ଶକ୍ତି ବଢ଼ିଥାଏ ଯାହା ଫଳରେ ମୁହଁରେ ବ୍ରଣ ସମସ୍ୟା ଦୂର ହୋଇଥାଏ । ଦହି ଏକ ଭଲ ଫେସ ପ୍ୟାକର କାମ ମଧ୍ୟ କରିଥାଏ । ଏଥିରେ ଲାକଟିକ ଏସିଡ ଥିବାରୁ ଏହା ମୃତ କୋଷିକା ଗୁଡିକୁ ସଫା କରିଥାଏ ।

* ଦହିରେ କିଛି ମାତ୍ରାରେ ବେସନ ଏବଂ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇଲେ ତ୍ୱଚା ମଧ୍ୟ ଉଜ୍ଜ୍ୱଳ ଦେଖାଯାଏ ।

* ଦହି ମୁଣ୍ଡରୁ ରୁପି ଦୂର କରିବାରେ ସାହାଯ୍ୟ କରିଥାଏ । ଏହା ଦ୍ୱାରା ଚୁଟି ସଫା ହେବା ସହିତ ଚକ ଚକ ମଧ୍ୟ କରିଥାଏ ।

* ଆମେରିକାନ ହାର୍ଟ ଆସୋସିଏସନର ସୂଚନା ଅନୁଯାୟୀ, ପ୍ରତିଦିନ ଦହି ଖାଇବା ଦ୍ୱାରା ଉଚ୍ଚ ରକ୍ତ ଚାପ ଆଶଙ୍କା ୩୧ ପ୍ରତିଶତ କମିଯାଇଥାଏ । ଏଥିରେ ଥିବା ପୋଟାସିୟମ ଏବଂ ମ୍ୟାଗନେସିୟମ ଯୋଗୁଁ ଏହା ହାର୍ଟକୁ ସୁସ୍ଥ ରଖିଥାଏ ।

* ତେବେ ଦହି କଫ ସୃଷ୍ଟିକାରୀ ହୋଇଥାଏ । କିନ୍ତୁ ସର୍କରାଯୁକ୍ତ ଦହି କଫ କରିନଥାଏ ।