ନୂଆଦିଲ୍ଲୀ : ଦେଶର ପ୍ରଧାନ ବିଚାରପତି ଏନ.ଭି. ରମନ୍ନା ସରକାରଙ୍କ ଦ୍ୱାରା ନ୍ୟାୟ ପାଳିକାକୁ ବଦନାମ କରିବା ପ୍ରକୃତିକୁ ନିନ୍ଦା କରିଛନ୍ତି। ବିଚାରପତିମାନଙ୍କ ଉପରେ ଅଭିଯୋଗ କରିବା ପ୍ରୟାଶ ପ୍ରଥମେ କେବଳ ବ୍ୟକ୍ତିଗତ ଦଳମାନେ କରୁଥିଲେ, କିନ୍ତୁ ଏବେ ସରକାର ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏହା ବହୁତ ଦୁର୍ଭାଗ୍ୟଜନକ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ସେ ଆହୁରି କହିଛନ୍ତି ଏହା ଏକ ନୂଆ ପ୍ରକ୍ରିୟା ଯେଉଁଠି ସରକାର ବିଚାରପତିମାନଙ୍କୁ ବଦନାମ କରୁଛନ୍ତି। ଏହା ବହୁତ ଦୁର୍ଭାଗ୍ୟଜନକ ଓ ଏହାକୁ ଆମେ ଅଦାଲତରେ ରହି ଦେଖୁଛୁ। ପ୍ରଥମେ କେବଳ ଘରୋଇ ପକ୍ଷମାନେ ଏହାର ସାହାରା ନେଉଥିଲେ କିନ୍ତୁ ଏହାକୁ ଏବେ ଆମେ ସବୁବେଳେ ଦେଖୁଛୁ।
ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଖଣ୍ଡପିଠ ଛତିସଗଡ଼ ହାଇକୋର୍ଟ ବିରୋଧରେ ହୋଇଥିବା ଏକ ଯାଚିକାରେ ଶୁଣାଣି କରୁଥିଲେ। ଯେଉଁଥିରେ ଭ୍ରଷ୍ଟାଚାର ନିରୋଧି ଆଇନ ଅଧିନରେ ଛତିସଗଡ଼ର ପୂବତନ ପ୍ରମୁଖ ସଚିବ ଅମନ କୁମାର ସିଂଙ୍କ ବିରୋଧରେ ଏତଲାକୁ ଖାରଜ କରି ଦିଆ ଯାଇଥିଲା। ହାଇକୋର୍ଟ କହିଥିଲେକି, ସମ୍ଭାବ୍ୟତା ଆଧାରରେ ଏତଲା ଦାୟର କରାଯାଇଥିଲା, ଯାହା ଆଧାରରେ କାହାରିକୁ କୋର୍ଟ ଚାଲାଣ କରାଯାଇ ପାରିବ ନାହିଁ।
ହାଇକୋର୍ଟର ଏତଲା ଖାରଜ କରିବାର ଆଦେଶ ବିରୋଧରେ କୋର୍ଟକୁ ଆସିଥିବା ଭ୍ରଷ୍ଟାଚାର ବିରୋଧି କାର୍ଯ୍ୟକର୍ତ୍ତାଙ୍କ ବରିଷ୍ଠ ଓକିଲ ସିଦ୍ଧାର୍ଥ ଦବେ କହିଛନ୍ତି ସେମାନେ ବିଚାରପତିମାନଙ୍କୁ ବଦନାମ କରିନାହାନ୍ତି । ଯଦି ଏପରି ପ୍ରବୃତ୍ତି ଅଛି ତାହେଲେ ଏତଲାକୁ ଖାରଜ କରାଯାଉ। ଶେଷରେ କୋର୍ଟ ଏହି ମାମଲାର ଶୁଣାଣିକୁ ଏପ୍ରିଲ ୧୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଛନ୍ତି ।