କୋଣାର୍କ ଏକ୍ସପ୍ରେସ ଧକ୍କାରେ ୮ ମୃତ

ଭୁବନେଶ୍ୱର,୧୧/୪ : ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ଘଟିଛି । ଚେନ୍ ଟାଣି ଗୋଟିଏ ଟ୍ରେନରୁ ଓହ୍ଲାଇ କିଛି ଯାତ୍ରୀ ରେଳଧାରଣା ପାର ‌ହେଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କୋଣାର୍କ ଏକ୍ସପ୍ରେସ ଟ୍ରେନ୍ ଚଢ଼ିଯିବାରୁ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଶାଖାପାଟଣା-ପଲାସା ମୁଖ୍ୟ ଲାଇନର ସିଗାଡ଼ାମ-ଚିପୁରୁପଲ୍ଲୀ ଷ୍ଟେସନ ମଝିରେ ୧୨୫୧୫ ନମ୍ବର ସିଲଚର-କୋଇମ୍ବାଟୁର ଏକ୍ସପ୍ରେସ୍ ଟ୍ରେନର ଚେନ୍ ପୁଲିଂ କରି କିଛି ଯାତ୍ରୀ ଟ୍ରେନରୁ ଓହ୍ଲାଇ ପଡ଼ି ରେଳ ଧାରଣା ପ‌ାର ହେଉଥିଲେ। ଏହି ସମୟରେ ଉକ୍ତ ଧାରଣାରେ ଆସୁଥିବା ଭୁବନେଶ୍ବର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ଆହତ ବ୍ୟକ୍ତିଙ୍କୁ କୋଣାର୍କ ଏକ୍ସପ୍ରେସରେ ଶ୍ରୀକାକୁଲମ୍ ରୋଡ୍ ଷ୍ଟେସନକୁ ନିଆଯାଇ ସେଠାରୁ ଏକ ଆମ୍ବୁଲାନ୍ସରେ ଡାକ୍ତରଖାନା ଅଣାଯାଇଛି। ଏହି ଖବର ଲେଖାଯିବା ବେଳକୁ ମୃତକଙ୍କ ପରିଚୟ ଜଣାପଡ଼ିନାହିଁ।