ଆସନ୍ତୁ ଜାଣିବା, IPL-2022ରେ ମୁମ୍ବାଇ ଏବଂ ଚେନ୍ନାଇର ଅବସ୍ଥା ଶୋଚନୀୟ କାହିଁକି ?

ନୂଆଦିଲ୍ଲୀ,୧୮/୪ : IPL-2022ରେ ମୋଟ୍ ୯ ଟ୍ରଫି ଜିତିଥିବା ମୁମ୍ବାଇ ଏବଂ ଚେନ୍ନାଇର ଅବସ୍ଥା ଚଳିତ IPLରେ ଶୋଚନୀୟ ହୋଇ ପଡିଛି । ଚେନ୍ନାଇ କ୍ରମାଗତ ୪ଟି ମ୍ୟାଚ୍ ହାରିବା ପରେ ବହୁ କଷ୍ଟରେ ପ୍ରଥମ ବିଜୟ ହାସଲ କରିଥିଲା। ହେଲେ ଷଷ୍ଠ ମ୍ୟାଚ୍‌ରେ ଦଳ ପୁଣି ଥରେ ପରାଜିତ ହୋଇଛି। ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ୬ଟି ମ୍ୟାଚ୍ ହାରିବା ସହ ନିଜର ପ୍ରଥମ ବିଜୟ ସନ୍ଧାନରେ ରହିଛି। ମାତ୍ର ଦୁଇ ଚାମ୍ପିଅନ ଦଳ ଯାହାଙ୍କ ପାଖରେ ଭାରତର ହ୍ଵାଇଟ୍ ବଲ୍‌ ଫର୍ମାଟର ସବୁଠୁ ବଡ ତାରକା ଖେଳାଳି ଥିଲେ ମଧ୍ୟ ଦଳର ପ୍ରଦର୍ଶନ ଏମିତି କିପରି ରହିଛି। ଦୁଇ ଦଳ ଏମିତି କାହିଁକି ହାରୁଛନ୍ତି, ଚାଲନ୍ତୁ ତାର କିଛି ବିଶ୍ଳେଷଣ ଉପରେ ନଜର ପକାଇବା…

ଚେନ୍ନାଇ ଓ ମୁମ୍ବାଇ ଏମିତି ଦୁଇଟି ଦଳ ଥିଲେ, ଯିଏ ଆରମ୍ଭରୁ ନେଇ ଏ ପର୍ଯ୍ୟନ୍ତ ନିଜର କୋର ଗ୍ରୁପ ସମ୍ଭାଳିକି ରଖିଥିଲେ। ଆରମ୍ଭ ପ୍ରଥମ ଦଶନ୍ଧିରେ ଦଳର ଅଧିକାଂଶ ଖେଳାଳି ଏମିତି ଥିଲେ, ଯିଏ ଲଗାତାର ଚୂଡାନ୍ତ ଏକାଦଶରେ ରହୁଥିଲେ। ଦୁଇ ଦଳର ଚୂଡାନ୍ତ ଏକାଦଶରେ ବାରମ୍ବାର ପରିବର୍ତ୍ତନ କରିବାକୁ ପଡୁନଥିଲା। ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵରେ ଚେନ୍ନାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ସମାନ ଚୂଡାନ୍ତ ଏକାଦଶ ସହିତ ମଇଦାନକୁ ଓହ୍ଲାଇଥିଲା। ଠିକ୍ ସମାନ ଅବସ୍ଥା ମୁମ୍ବାଇର। ମୁମ୍ବାଇର ପୂରା ଦଳ ପରିବର୍ତ୍ତନ ହୋଇ ଯାଇଛି।

ଆଇପିଏଲ ୨୦୨୨ରେ ମେଗା ନିଲାମ ହେବାରୁ ଦଳକୁ ପୂରା ସ୍କ୍ଵାଡ ବଦଳାଇବାକୁ ପଡିଲା। କେବଳ କିଛି ଖେଳାଳିଙ୍କୁ ଦଳରେ ରଖିବାକୁ ସୁଯୋଗ ମିଳିଥିଲା। ବାକି ଖେଳାଳି ଅଲଗା ହୋଇଗଲେ। ଚେନ୍ନାଇ ସୁପର କିଙ୍ଗ୍ସ ନିଜର କିଛି ପୁରୁଣା ଖେଳାଳିଙ୍କୁ କିଣିବାକୁ ଉଦ୍ୟମ କରିଥିଲା। କିନ୍ତୁ ଏମିତି ହୋଇ ପାରିନଥିଲା।

ଆଇପିଏଲ ୨୦୨୨ରେ ହୋଇଥିବା ମେଗା ନିାଲମ ଆଇପିଏଲର ଶେଷ ନିଲାମ। ଏହା ପରେ ଦଳଗୁଡିକୁ ନିଜର କୋର ଗ୍ରୁପ ସମ୍ଭାଳିକି ରଖିବାକୁ କିଛିଟା କୋହଳ ଦିଆଯିବ। ତେଣୁ ଦଳଗୁଡିକ ଆଗାମୀ ୩-୪ ବର୍ଷକୁ ଦୃଷ୍ଟିରେ ରଖି ନିଜର ଦଳ ଗଠନ କରିବାକୁ ଉଦ୍ୟମ କରିଛନ୍ତି। ଏହି କାରଣରୁ ମୁମ୍ବାଇ ଇଣ୍ଡିଆନ୍ସ ଜୋଫ୍ରା ଆର୍ଚରଙ୍କ ଉପରେ ୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି। ମାତ୍ର ସେ ଏହି ସିଜିନରେ ଖେଳୁ ନାହାନ୍ତି। ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗ୍ସ ଦୀପକ ଚହରଙ୍କ ଉପରେ ୧୪ କୋଟି ଟଙ୍କା ଖର୍ଚ୍ଚ କରିଛି। ତେବେ ଦୀପକ ଆହତ କାରଣରୁ ଚଳିତ ଆଇପିଏଲରୁ ବାଦ୍ ପଡିଛନ୍ତି। କିଛି ଖେଳାଳିଙ୍କ ଉପରେ ଅଧିକ ଟଙ୍କା ଖର୍ଚ୍ଚ କରାଗଲା, ହେଲେ ସେମାନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳୁନାହିଁ। ୮.୨୫ କୋଟି ଟଙ୍କାରେ କିଣା ଯାଇଥିବା ଟିମ୍ ଡେଭିଡ୍ ଗୋଟିଏ ଦୁଇଟି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଛନ୍ତି।

ରୋହିତ ଶର୍ମା ଟିମ୍ ଇଣ୍ଡିଆର ତିନୋଟି ଫର୍ମାଟର ଅଧିନାୟକ । ଆଶ୍ଚର୍ଯ୍ୟକର କଥା ରୋହିତଙ୍କୁ ଆଇପିଏଲର ସଫଳତା ଆଧାରରେ ଭାରତୀୟ ଦଳର ଅଧିନାୟକ କରାଯାଇଛି। ମାତ୍ର ଯେବେଠୁ ସେ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି, ଆଇପିଏଲରେ ପ୍ରଥମ ବିଜୟ ପାଇଁ ବ୍ୟାକୁଳ ଅଛନ୍ତି। କେବଳ ଅଧିନାୟକତ୍ଵକୁ ନେଇ ରୋହିତ ଚିନ୍ତାରେ ନାହାନ୍ତି ବରଂ ତାଙ୍କ ବ୍ୟାଟରୁ ରନ୍ ମଧ୍ୟ ବାହାରୁ ନାହିଁ। ରୋହିତ ଶର୍ମା ଅଦ୍ୟାବଧି ୬ଟି ମ୍ୟାଚ୍‌ରୁ ମାତ୍ର ୧୧୪ ରନ କରିଛନ୍ତି।

ଯଦି ଚେନ୍ନାଇ ସୁପର କିଙ୍ଗ୍ସ ଉପରେ ନଜର ପକାଇବା ତେବେ ଦଳର ଅଧିନାୟକ ପରିବର୍ତ୍ତନ ହୋଇଛି। ଆଇପିଏଲ ଆରମ୍ଭ ହେବା ଠିକ୍ ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀ ଅଧିନାୟକ ଛାଡିଥିଲେ ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ଅଧିନାୟକ ଦାୟିତ୍ଵ ଦିଆଯାଇଥିଲା। ନୂତନ ସ୍କ୍ଵାର୍ଡ ଏବଂ ନୂତନ ଅଧିନାୟକ ସହିତ ଦଳ ବିଜୟ ଟ୍ରାକକୁ ଫେରିବା ମୁସ୍କିଲ ହୋଇ ପଡିଛି ।