ହକି ବିଶ୍ୱକପ୍‌ ଉଦ୍‌ଯାପନୀ ସମାରୋହରେ ଅମିତାଭ ଓ ସଚିନ୍‌ ଯୋଗଦେବା ନେଇ ଚର୍ଚ୍ଚା

ଭୁବନେଶ୍ୱର,୩୦/୧୧: ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ସମାରୋହରେ ମାଧୁରୀ ଦୀକ୍ଷିତ, ଏ.ଆର୍‌. ରହମନ୍‌, ସଲ୍‌ମାନ୍‌ ଖାନ୍‌ ଓ ଶାହରୁଖ୍‌ ଖାନ୍‌ଙ୍କ ଭଳି ବହୁ ବଡ଼ ବଡ଼ ସେଲିବ୍ରିଟି ଯୋଗଦେବା ପରେ ଏବେ ସମସ୍ତଙ୍କ ନଜର ରହିଛି ଉଦ୍‌ଯାପନୀ ସମାରୋହ ଉପରେ। ଉଦ୍‌ଘାଟନୀଠାରୁ ଉଦ୍‌ଯାପନୀ ସମାରୋହକୁ ଆହୁରି ଆକର୍ଷଣୀୟ କରିବାକୁ ଆୟୋଜକ ପ୍ରସ୍ତୁତ ହେଉଥିବା ବେଳେ ଏଥିରେ କିଏ କିଏ ଯୋଗଦେବେ, ତାହାକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏ ନେଇ କ୍ରୀଡ଼ା ବିଭାଗ ତରଫରୁ କୌଣସି ସ୍ପଷ୍ଟୋକ୍ତି ଦିଆଯାଇ ନ ଥିଲେ ମଧ୍ୟ ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ଓ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଏଥିରେ ଯୋଗଦେବା ନେଇ ଶୁଣିବାକୁ ମିଳିଛି।

ଏ ପର୍ଯ୍ୟନ୍ତ ସେମାନଙ୍କଠାରୁ କୌଣସି ଉତ୍ତର ଆସି ନ ଥିଲେ ମଧ୍ୟ ଅମିତାଭ ବଚ୍ଚନ ଓ ସଚିନ ଯୋଗଦେବାର ପ୍ରାୟତଃ ସମ୍ଭାବନା ରହିଛି। ଯେହେତୁ ପୂର୍ବରୁ ଅମିତାଭଙ୍କ ‘କୌନ୍‌ ବନେଗା କରୋଡ୍‌ପତି’ରେ ହକି ବିଶ୍ୱକପ୍‌ ୨୦୧୮କୁ ନେଇ ଏକ ସ୍ବତନ୍ତ୍ର ଅଧ୍ୟାୟର ଆୟୋଜନ କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଲିଉଡ୍‌ ସୁପରଷ୍ଟାର୍‌ଙ୍କୁ ବିଶ୍ୱକପ୍‌ରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ, ସେହେତୁ ଅମିତାଭ ଯୋଗଦେବାର ସମ୍ଭାବନା ଅଧିକ ରହିଛି।