ଭୁବନେଶ୍ବର,୨୪/୪ : ରାଜ୍ୟରେ କିଛିବର୍ଷ ଭିତରେ ଡାକ୍ତରଙ୍କ ଅଭାବ ଦୂର ହେବ। ନିକଟରେ ପୁରୀ ମେଡିକାଲ କଲେଜ ଉଦ୍ଘାଟିତ ହୋଇଥିବା ବେଳେ ଆଉ ୫ଟି ମେଡିକାଲ କଲେଜ ଅନୁମୋଦନ ଅପେକ୍ଷାରେ ରହିଛି। ଯଦି ଏସବୁ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୁଏ, ତାହାଲେ ଆସନ୍ତା ୨୦୩୦ ବେଳକୁ ରାଜ୍ୟରେ ପ୍ରତିବର୍ଷ ପ୍ରାୟ ୨୫ଶହ (ସରକାରୀ, ଘରୋଇ) ଡାକ୍ତର ବାହାରିବେ ବୋଲି ଅନୁମାନ କରାଯାଉଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆସନ୍ତା ୧୦ବର୍ଷ ଭିତରେ ଭାରତରେ ପ୍ରତିବର୍ଷ ରେକର୍ଡ ସଂଖ୍ୟକ ଡାକ୍ତର ବାହାରିବେ ବୋଲି କହିଥିଲେ।
ରାଜ୍ୟରେ ଜିଲ୍ଲାସ୍ତରରେ ଓ ମେଡିକାଲ କଲେଜରେ ବହୁ ଡାକ୍ତରୀ ପଦବି ଖାଲି ପଡ଼ିଛି। ଜିଲ୍ଲାସ୍ତରରେ ୪୨ ପ୍ରତିଶତ ଏହି ପଦବି ଖାଲି ପଡ଼ିଥିବା ଖୋଦ୍ ରାଜ୍ୟ ସରକାର ବିଧାନସଭାରେ ସ୍ବୀକାର କରିଛନ୍ତି। ଯଦି ଧାର୍ଯ୍ୟ ସମୟ ଭିତରେ ଅନୁମୋଦନ ଅପେକ୍ଷାରେ ଥିବା ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହୁଏ ତାହାଲେ ଆସନ୍ତା ୭/୮ବର୍ଷରେ ଡାକ୍ତରଙ୍କ ଅଭାବ ଦୂର ହେବ ବୋଲି ଆଶା କରାଯାଉଛି। ରାଜ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ଭବାନୀପାଟଣା, ଯାଜପୁର ଓ କନ୍ଧମାଳ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। କେନ୍ଦୁଝର, ସୁନ୍ଦରଗଡ଼ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ନିକଟରେ ଜାତୀୟ ମେଡିକାଲ କମିସନ(ଏନ୍ଏମ୍ସି)ର ଟିମ୍ ଏହାର ନିରୀକ୍ଷଣ କରିଛନ୍ତି।