ନୂଆଦିଲ୍ଲୀ,୧୫/୫ : ଆଜି ଆଇପିଏଲ୍ର ୬୩ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଓ ରାଜସ୍ଥାନ ରୟାଲ୍ସ । ଲିଗ ରାଉଣ୍ଡ ପଏଣ୍ଟ ତାଲିକାରେ ସୁପରଜାଏଣ୍ଟ୍ସ ଦ୍ୱିତୀୟ(୧୬ପଏଣ୍ଟ) ଓ ରୟାଲ୍ସ ତୃତୀୟ(୧୪ପଏଣ୍ଟ) ସ୍ଥାନରେ ରହିଛନ୍ତି । ଏହି ମ୍ୟାଚ୍ ଜିତିଲେ ସୁପରଜାଏଣ୍ଟ୍ସ ସିଧା ସଳଖ ପ୍ଲେ-ଅଫ୍ରେ ପ୍ରବେଶ କରିବ । ରୟାଲ୍ ଏହି ମ୍ୟାଚ୍କୁ ବଡ ବ୍ୟବଧାନରେ ଜିତିଲେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇପାରିବ । ଉଭୟ ଦଳ ପାଇଁ ବିଜୟ ଜରୁରି ଥିବାରୁ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
ରୟାଲ୍ସକୁ ହରାଇବାକୁ ହେଲେ ସୁପରଜାଏଣ୍ଟ୍ସକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ଫର୍ମରେ ଥିବା ଜୋସ ବଟଲରଙ୍କୁ ଅଟକାଇ ପାରିଲେ ସୁପରଜାଏଣ୍ଟ୍ସର ବିଜୟ ସହଜ ହେବ । ବଟଲର ଚଳିତ ସିଜନରେ ୩ଟି ଶତକ ଅର୍ଜନ କରିସାରିଛନ୍ତି । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ରୟାଲ୍ସ ବିଜୟୀ ହୋଇଥିଲା । ଏଥର ସୁପରଜାଏଣ୍ଟ୍ସ ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ସୁପରଜାଏଣ୍ଟ୍ସ ମଧ୍ୟ ବେଶ୍ ସନ୍ତୁଳିତ ଦଳ । ଲୋକେଶ ରାହୁଲ ଓ କ୍ୱିଣ୍ଟନ ଡି କକ୍ ଫର୍ମରେ ରହିଛନ୍ତି । ହେଲେ ମଧ୍ୟଭାଗ ବ୍ୟାଟରଙ୍କ ପ୍ରଦର୍ଶନ ସେଭଳି ଆକର୍ଷଣୀୟ ହୋଇନାହିଁ । ବୋଲିଂ ବିଭାଗ ଉନ୍ନତ ରହିଛି ।