ଭୁବନେଶ୍ୱର, ୧/୧୨ : ରାଜ୍ୟକୁ ଅଗ୍ରଣୀ କରିବାରେ ବିଜେପି ହିଁ ଏକମାତ୍ର ବିକଳ୍ପ। ଆମେ ସମସ୍ତେ ଗୋଟିଏ ମନବୃତ୍ତି ରଖିବା, ୱାନ୍ ଟିମ୍ – ୱାନ୍ ଡ୍ରିମ୍(ଗୋଟିଏ ଦଳ –ଗୋଟିଏ ସ୍ୱପ୍ନ) ଉନ୍ନତ ଓ ପ୍ରଗତିଶୀଳ କରିବା ଆମର ସ୍ୱପ୍ନ ବୋଲି କହିଛନ୍ତି ନିକଟରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଆଇଏଏସ୍ ଅପରାଜିତା ଷଡ଼ଙ୍ଗୀ । ଆଜି ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ତାଙ୍କ ସ୍ୱାଗତ ସଭାରେ ଏହି କଥା କହିବା ସହ ଶ୍ରୀମତି ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ମଧ୍ୟ ସମାଲୋଚନା କରିବା ସହ ଅନେକ ପ୍ରଶ୍ନ କରିଛନ୍ତି।
ଭୁବନେଶ୍ୱରରେ ଆୟୋଜିତ ସଭାରେ ଶ୍ରୀମତି ଷଡଙ୍ଗୀ ପ୍ରଥମେ ସେଠାରେ ଉପସ୍ଥିତ ଲୋକଙ୍କ ଉଦ୍ଦେଶ୍ୟରେ କହିଥିଲେ ଆପଣଙ୍କ ସ୍ନେହ, ଶ୍ରଦ୍ଧା ମୋତେ ଦିଲ୍ଲୀରୁ ଘରୁକୁ ଫେରାଇ ଆଣିଛି। ଓଡ଼ିଶାକୁ ପ୍ରଗତି ପଥରେ ନେବାକୁ ମୋ ଜୀବନ ସମର୍ପିତ କରିବା ଲକ୍ଷ୍ୟ। ପ୍ରଧାନମନ୍ତ୍ରୀଙ୍କ ଅଦ୍ଭୁତ କାର୍ଯ୍ୟଶୈଳୀ ଓ କାର୍ଯ୍ୟଦକ୍ଷତା ମୋତେ ଅଭିଭୂତ କରିଛି। ଓଡ଼ିଶାର ରାଜନୀତିକୁ ୨୫ ବର୍ଷ ହେଲା ମୁଁ ପାଖରୁ ଦେଖି ଆସିଛି। ଏତିକି ବର୍ଷର ଅନୁଭୂତି ପରେ ଏବେ ପରିବର୍ତ୍ତନର ସମୟ ଆସିଛି। ରାଜ୍ୟରେ ବିକାଶ ପଥଚ୍ୟୁତ । ଦରିଦ୍ର ଓ ପଛୁଆର ଟ୍ୟାଗ୍ ହଟାଇବାକୁ ପଡ଼ିବ। ଓଡିଶାକୁ ଏକ ଆଦର୍ଶ ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ବୋଲି କହିଛନ୍ତି ଅପରାଜିତା । ଏହାସହ ରାଜ୍ୟରେ ବଢିଚାଲିଥିବା ଭ୍ରଷ୍ଟାଚାର, ଦୁର୍ନୀତି ଏବଂ ପିସି କାରବାର ସମ୍ପର୍କରେ ଅପରାଜିତା ନିଜ ତଥ୍ୟ ପ୍ରଦାନ କରିବା ସହ ଆଗକୁ ଠିକ୍ ସମୟ ଆସିଲେ ଅନେକ ଡାଟା ଲୋକଲୋଚନକୁ ଆଣିବେ ବୋଲି କହିଛନ୍ତି ।
Prev Post