ତୈଳ ଦର ହ୍ରାସ ପ୍ରସଙ୍ଗରେ BJDର ବୟାନ: ଜାଣନ୍ତୁ କ’ଣ କହିଲେ ଅମର ପଟ୍ଟନାୟକ

ଭୁବନେଶ୍ୱର,୨୨/୫: ପେଟ୍ରୋଲ-ଡିଜେଲ ଦର ହ୍ରାସ ପରେ ବିଭିନ୍ନ ଦଳ ଓ ନେତାମାନଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ତେଲ ଦର ହ୍ରାସ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ‘କେନ୍ଦ୍ର ସରକାରଙ୍କ ପାଖରେ ଦର ହ୍ରାସ ପାଇଁ ଅଧିକ ସୁଯୋଗ ରହିଛି । କେନ୍ଦ୍ରକୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ଅତିରିକ୍ତ କେନ୍ଦ୍ରୀୟ ଉତ୍ପାଦ ଶୁଳ୍ପରୁ ସେସ ମିଳୁଛି । ଦର ହ୍ରାସ କରିବାର ଅଧିକ ଭୂମିକା କେନ୍ଦ୍ର ସରକାରଙ୍କ ରହୁ ।’

ଏହା ସହ ଅମର କହିଛନ୍ତି ଯେ, ରାଜ୍ୟ ସରକାରଙ୍କର କେବଳ ଗୋଟିଏ ଦିଗରେ ରହିଛି ଭ୍ୟାଟ୍ । ରାଜ୍ୟ ସରକାରଙ୍କ ରାଜସ୍ୱ ବୃଦ୍ଧି ଏ ଦିଗରେ ବହୁତ କମ୍ । ପୂର୍ବରୁ ଯେବେ କେନ୍ଦ୍ର କମାଇ ଥିଲା, ରାଜ୍ୟ ବି ଦର ହ୍ରାସ କରିଥିଲା । କେନ୍ଦ୍ର୍ର ଦର ହ୍ରାସ ପରେ କିଛି ମାତ୍ରାରେ ଦରବୃଦ୍ଧି ନିୟନ୍ତ୍ରଣ କରିବାର ସମ୍ଭାବନା ରହିଛି । ରାଜ୍ୟର ରାଜସ୍ୱ କିପରି ପ୍ରଭାବିତ ହେବ, ସେନେଇ ଅନୁଧ୍ୟାନ କରାଯିବ । ଏହା ପରେ ନିଷ୍ପତ୍ତି ନିଆଯିବ ବୋଲି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ।

ତେବେ ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ ନେଇ ଗତକାଲି ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଫଳରେ ପେଟ୍ରୋଲ ଉପରୁ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୮ ଟଙ୍କା ହ୍ରାସ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୬ ଟଙ୍କା ହ୍ରାସ ହୋଇଛି । ଏହା ଫଳରେ ପେଟ୍ରୋଲ ଦର ଲିଟର ପିଛା ୯.୫ ଟଙ୍କା ଓ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ ପାଇଛି । ଆଜି ସକାଳ ୬ଟା ଠାରୁ ଏହି ନୂଆ ଦର ଲାଗୁ ହୋଇଛି ।