ଧରାପୃଷ୍ଠରେ ଜନ୍ମ ହେଇଛ ମାତ୍ରେ ମରିବା ସୁନିଶ୍ଚିତ । ଏହା ଶୁଣିଲେ ମନରେ ଭୟ ଜାତ ହେଲେ ବି ଏହାକୁ କେହି ବଦଳାଇ ପାରିବେ ନାହିଁ । ଆମ ସମସ୍ତଙ୍କ ମନକୁ ଗୋଟିଏ କଥା ବାରମ୍ବାର ଆସେ କି ମୃତ୍ୟୁ ପରେ କ’ଣ ହୋଇଥାଏ । ମୃତ୍ୟୁ ସମୟରେ ମଣିଷ କିପରି ଅନୁଭବ କରିଥାଏ, ମୃତ୍ୟୁ ପରେ ମଣିଷ ଆଉଥରେ ଜନ୍ମ ନିଏ କି ନାହିଁ, ମୃତ୍ୟୁ ପରେ ମଣିଷ ସ୍ୱର୍ଗ ଅବା ମର୍ତ୍ତ୍ୟକୁ ଯାଇଥାଏ ଏପରି ଆହୁରି ଅନେକ ।
କିଛି ଲୋକ ମୃତ୍ୟୁ ପରେ ପୁଣି ଜୀବିତ ହୁଅନ୍ତି । ଅନେକ ଲୋକ ମୃତ୍ୟୁକୁ ଛୁଇଁ ଫେରିଆସନ୍ତି । ଅନେକ ଲୋକ କିଛି ସେକେଣ୍ଡ ବି ମିନିଟ୍ ପାଇଁ ମରି ପୁଣି ଫେରିଆସିଥିବା ଦାବି କରିଛନ୍ତି । ଅବଶ୍ୟ ସେମାନଙ୍କ ଅନୁଭବ ଅଲଗା ଅଲଗା ଥିଲା । ଆଜି ପର୍ଯ୍ୟନ୍ତ କେହି ବି ନିଶ୍ଚିତ ଭାବେ ମରିବା ସମୟରେ କିପରି ଅନୁଭବ ହୁଏ ବୋଲି କହିନାହାନ୍ତି ।
ଏହା ଉପରେ ଦୁର୍ଘଟଣା ଓ ଆପାତକାଳୀନ ବିଭାଗର ବିଶେଷଜ୍ଞ ଭାବେ କାର୍ଯ୍ୟ କରିଥିବା ଡ. ଥୋମାସ ଫ୍ଲାଇସମନ ମୃତ୍ୟୁର ୫ଟି ଷ୍ଟେଜ୍କ ଦର୍ଶାଇଛନ୍ତି । ପାଖାପାଖି ତାଙ୍କ ଡାକ୍ତରୀ ସେବାର ୩୫ବର୍ଷର ଅନୁଭୂତି ଓ ଅଧ୍ୟୟନରୁ ସେ କହିଛନ୍ତି କି ତାଙ୍କ ଆଖି ସାମ୍ନାରେ ସେ ୨ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ଦେଖିଛନ୍ତି । ଏଥିସହ ଏଭଳି କିଛି ବ୍ୟକ୍ତି ଯେଉଁମାନେ ମୃତ୍ୟୁମୁହଁକୁ ଯାଇ ବି ପୁଣି ଜୀବନଦାନ ପାଇଛନ୍ତି ସେମାନଙ୍କ ସହ ବି ଡ. ଥୋମାସ୍ କଥା ହୋଇଛନ୍ତି ।
ପ୍ରଥମ ଷ୍ଟେଜ୍ : ଏହି ଷ୍ଟେଜ୍ରେ ମଣିଷକୁ କିଛି ଶୁଣାଯାଇନଥାଏ । ସେ ଖୁବ୍ ଶାନ୍ତି ଅନୁଭବ କରିଥାଏ । ମଣିଷର ସବୁ ଡର, ସବୁ କଷ୍ଟ ଓ ସବୁ ଟେନସନ୍ ଦୂର ହୋଇଯାଇଥାଏ ।
ଦ୍ୱିତୀୟ ଷ୍ଟେଜ୍ : ଡକ୍ଟର ଥୋମାସଙ୍କ ଅନୁସାରେ ମୃତ୍ୟୁର ଦ୍ୱିତୀୟ ଷ୍ଟେଜ୍ରେ ବ୍ୟକ୍ତିଜଣକ ନିଜ ଶରୀରକୁ ଖୁବ୍ ହାଲକା ଅନୁଭବ କରିଥାଏ । ତାକୁ ଲାଗିଥାଏ କି ସେ ପବନରେ ଉଡ଼ୁଛି ।
ତୃତୀୟ ଷ୍ଟେଜ୍ : ଏହି ଷ୍ଟେଜ୍ ମଣିଷକୁ ଆଶ୍ୱସ୍ତି ଆଣିଦେଇଥାଏ । ମୃତ୍ୟୁମୁଖରୁ ଫେରିଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୯୮ ପ୍ରତିଶତ ବ୍ୟକ୍ତିଙ୍କ କହିବାନୁଯାୟୀ ସେମାନେ ଏହି ଷ୍ଟେଜ୍ରେ ଖୁବ୍ ଆରାମ ଅନୁଭବ କରିଥାନ୍ତି । ବାକି ୨ ପ୍ରତିଶତ ବ୍ୟକ୍ତି କୁହନ୍ତି କି ସେମାନଙ୍କୁ ଭୟଙ୍କର ଜୀବ ଦେଖାଯାଇଥାଏ ଓ ବିକଟାଳ ଶବ୍ଦ ଶୁଣାଯାଇଥାଏ । ଏଥିସହ ବିଭିନ୍ନ ଦିଗରୁ ଆସୁଥିବା ଦୁର୍ଗନ୍ଧରେ ତାଙ୍କ ନାକ ଫାଟିପଡ଼ୁଥାଏ ।
ଚତୁର୍ଥ ଷ୍ଟେଜ୍ : ମୃତ୍ୟୁର ଏହି ଷ୍ଟେଜ୍ରେ ବ୍ୟକ୍ତିଜଣକ କ୍ଷୀପ୍ର, ଗରମ ଓ ନିଜ ଆଡକୁ ଆକର୍ଷଣ କରୁଥିବା ଏକ ଉଜ୍ୱଳ ଆଲୋକ ଦେଖିଥାନ୍ତି ଓ ତାହା କ୍ରମଶଃ ଅନ୍ଧକାରରେ ପରିଣତ ହୋଇଥାଏ ।
ପଞ୍ଚମ ଷ୍ଟେଜ୍ : ପଞ୍ଚମ ପର୍ଯ୍ୟାୟରେ ମୃତ୍ୟୁ ପରେ ଫେରି ଆସିଥିବା ୧୦ ପ୍ରତିଶତ ଲୋକ କହିଛନ୍ତି ଯେ, ସେମାନେ ସୁନ୍ଦର ଦୁନିଆ ଦେଖିଥିଲେ । ସେଠାରେ ସୁନ୍ଦର ରଙ୍ଗ ଏବଂ ସୁନ୍ଦର ସଂଗୀତ ଥିଲା । ସେଠାରେ ପହଞ୍ଚିବା ପରେ ପ୍ରେମ ଅନୁଭବ ହୋଇଥିଲା ।