ନୂଆଦିଲ୍ଲୀ: କରୋନା ଯୋଗୁଁ ଅଧିକାଂଶ ଲୋକଙ୍କୁ ଚାକିରି ହରାଇବାକୁ ପଡିଛି । କିଛି ଲୋକ ବାହାରୁ ଆସି ନିଜ ଗାଁରେ ଚାଷ ବା ଅନ୍ୟ କିଛି ବ୍ୟବସାୟ କରୁଛନ୍ତି । ଆଜିର ସମୟରେ ବେରୋଜଗାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ଆଶ୍ୱସ୍ତିକର ଖବର । ଚଳିତ ବର୍ଷ ଦେଶରେ ଅଧିକ ନିଯୁକ୍ତି ମିଳିବ । ଏହାର କାରଣ ହେଉଛି ଚାକିରି ସମ୍ବନ୍ଧରେ କମ୍ପାନୀଗୁଡିକର ସକରାତ୍ମକ ମନୋଭାବ ରହିଛି ।
ଦେଶର ଅର୍ଥ ବ୍ୟବସ୍ଥାର ବୃଦ୍ଧି ମାର୍ଗରେ ବଢ଼ୁଥିବା ବେଳେ ଆର୍ଥିକ ବର୍ଷରେ ନିଯୁକ୍ତି କ୍ରମାଗତ ଚାଲିଛି ଓ ଭାରତୀୟ କମ୍ପାନୀଗୁଡ଼ିକର ନୂଆ ନିଯୁକ୍ତିକୁ ନେଇ ସକରାତ୍ମକ ମନୋଭାବ ରହିଛି । ଶନିବାର ଦିନ ଜାରି ହୋଇଥିବା ଏକ ରିପୋର୍ଟରେ ଏହା କୁହାଯାଇଛି । ଏହି ସର୍ଭେରେ ସାମିଲ ହୋଇଥିବା ଅତିକମରେ ୭୨ ପ୍ରତିଶତ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଚଳିତ ଆର୍ଥିକ ବର୍ଷରେ ନୂତନ ପଦବୀରେ ଅଧିକ ନିଯୁକ୍ତି କରାଯିବ ।
ଜିନିୟସ୍ କନସଲଟାଣ୍ଟସଙ୍କ ରିପୋର୍ଟରେ କୁହାଯାଇଛି ଯେ, ୭୨% କମ୍ପାନୀ ନୂତନ ପଦବୀରେ ନିଯୁକ୍ତି ପାଇବେ ବୋଲି କହିଛନ୍ତି । ଏଥି ସହିତ ୧୮ ପ୍ରତିଶତ କମ୍ପାନୀର କହିବା ମୁତାବକ, ବର୍ତ୍ତମାନ ପଦବୀରେ ଥିବା କର୍ମଚାରୀଙ୍କ ସ୍ଥାନରେ ନୂଆ କର୍ମଚାରୀ ନିଯୁକ୍ତି କରାଯିବ ।
ରିପୋର୍ଟରେ କୁହାଯାଇଛି ଯେ, କମ୍ପାନୀଗୁଡିକ ସେମାନଙ୍କର କାର୍ଯ୍ୟବଳକୁ ମଜବୁତ କରିବା ପାଇଁ ଆଭ୍ୟନ୍ତରୀଣ ସମୀକ୍ଷା କରୁଛନ୍ତି । ସର୍ଭେରେ ସାମିଲ ପ୍ରାୟ ୪୦ ପ୍ରତିଶତ କମ୍ପାନୀର କହିବା ମୁତାବକ, ସେମାନେ କର୍ମଚାରୀଙ୍କ ସଂଖ୍ୟା ୧୦ ରୁ ୧୫ ପ୍ରତିଶତ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ୩୦ ପ୍ରତିଶତ ଲୋକଙ୍କ କହିବାନୁସାରେ, ଅତି କମରେ ୧୦ ପ୍ରତିଶତ ନୂଆ କର୍ମଚାରୀ ନିଯୁକ୍ତି ପାଇବେ ।