ଭୁବନେଶ୍ୱର,24/5: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ବିଦ୍ଧିବଦ୍ଧ ଭାବେ ଆରମ୍ଭ ହୋଇଛି । ରାଜ୍ୟ ବିଧାନସଭା ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଖାଲି ହୋଇଥିବା ୩ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଆଜିଠାରୁ ଆରମ୍ଭ ହୋଇଛି । ଆସନ୍ତା ୩୧ ନାମାଙ୍କନ ଦାଖଲର ଶେଷ ତାରିଖ ଭାବେ ବିଜ୍ଞପ୍ତିରେ ଦର୍ଶାଯାଇଛି । ଜୁନ୍ ୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ଜୁନ୍ ୩ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି । ଜୁନ ୧୦ରେ ହେବ ନିର୍ବାଚନ ।
ତେବେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ସେନେଇ ଦଳ ସୁପ୍ରିମୋ ସଠିକ ସମୟରେ ନିଷ୍ପତ୍ତି ନେବେ । ରାଜ୍ୟସଭା ରେସ୍ରେ ମହିଳାଙ୍କୁ ମିଳିପାରେ ଗୁରୁତ୍ୱ । ସବୁ ନିର୍ବାଚନରେ ବିଜେଡି ମହିଳାଙ୍କୁ ଗୁରୁତ୍ୱ ଦେଇଆସିଛି । ଓଡ଼ିଶାରୁ ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ବିଜେଡିର ଏନ୍ ଭାସ୍କର ରାଓ, ସସ୍ମିତ ପାତ୍ର ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଜୁଲାଇ ୧ ତାରିଖରେ ଶେଷ ହେଉଛି। ଏହି ତିନିଟି ଆସନ ପାଇଁ ନିର୍ବାଚନ ହେବ। ସଂଖ୍ୟା ଦୃଷ୍ଟିକୋଣରୁ ବିଜେଡିର ତିନି ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବାରେ କୌଣସି ସମସ୍ୟା ନାହିଁ। ବର୍ତ୍ତମାନ ରାଜ୍ୟସଭାରେ ବିଜେଡିର ୮ ଜଣ ସଭ୍ୟ ଥିଲା ବେଳେ ବିଜେପିର ଜଣେ ସଭ୍ୟ ଅଛନ୍ତି। ସୁବାସ ସିଂହ ଇସ୍ତଫା ଦେଲା ପରେ ଗୋଟିଏ ଆସନ ଖାଲି ପଡ଼ିଛି। ଏହି ଖାଲି ଆସନରେ ନିର୍ବାଚନ ପାଇଁ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ଜାରି ହେବ।
ଅନ୍ୟପଟେ ନିର୍ବାଚନ କମିସନ୍ ଗୁରୁବାର ଦିନ ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଜୁନ୍ ୧୦ ତାରିଖରେ ଓଡ଼ିଶା ସମେତ ୧୫ ରାଜ୍ୟରେ ୫୭ ରାଜ୍ୟସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଉତ୍ତରପ୍ରଦେଶରେ ସର୍ବାଧିକ ୧୧ ଆସନ ପାଇଁ ଭୋଟ୍ ହେବାକୁ ଥିବା ବେଳେ ମହାରାଷ୍ଟ୍ର ଏବଂ ତାମିଲନାଡ଼ୁରେ ୬ ଆସନରେ ଭୋଟ୍ ହେବ। ବିହାରରେ ୫ଟି ଆସନ, କର୍ଣ୍ଣାଟକ, ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶରେ ୪ଟି ଲେଖାଏଁ ଆସନ, ମଧ୍ୟପ୍ରଦେଶ ଏବଂ ଓଡ଼ିଶାରୁ ୩ଟି ଲେଖାଏଁ ଆସନ ଏବଂ ପଞ୍ଜାବ , ଝାଡ଼ଖଣ୍ଡ, ହରିୟାଣା, ଛତିଶଗଡ଼ ଏବଂ ତେଲେଙ୍ଗାନାରୁ ୨ଟି ଲେଖାଏଁ ଆସନ ଏବଂ ଉତ୍ତରାଖଣ୍ଡରେ ଗୋଟିଏ ଆସନରେ ନିର୍ବାଚନ ହେବ । ଉକ୍ତ ୫୭ ଆସନ ମଧ୍ୟରୁ ୨୩ଟି ବିଜେପି ପାଖରେ ଥିବାବେଳେ ୮ଟି କଂଗ୍ରେସ ପାଖରେ ରହିଛି। ତେବେ ଏହି ନିର୍ବାଚନ ପରେ ଏମ୍ ଷ୍ଟାଲିନଙ୍କ ନେତୃତ୍ବାଧୀନ ଡିଏମ୍କେ ଏବଂ ଅରବିନ୍ଦ କେଜ୍ରିୱାଲ୍ଙ୍କ ନେତୃତ୍ବାଧୀନ ଆପ୍ ଦଳର ଶକ୍ତି ବଢ଼ିବ। ଅର୍ଥ ମନ୍ତ୍ରୀ ନୀର୍ମଳା ସୀତାରମଣ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ବାସ ନକ୍ଭିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ ସେମାନେ ପୁଣିଥରେ ନିର୍ବାଚନ ଲଢ଼ିବେ।