ଏଣିକି ବିମାନରେ ଚଲାଇପାରିବେ ଇଣ୍ଟରନେଟ୍,ସ୍ପାଇସଜେଟ ଆରମ୍ଭ କରିବାକୁ ଯାଉଛି ଏହି ସେବା

ନୂଆଦିଲ୍ଲୀ, 24/5: ଦୁନିଆର ସବୁଠାରୁ ଅଧିକ ଇଣ୍ଟରନେଟ୍ ବ୍ୟବହାର କରୁଥିବା ଦେଶ ମଧ୍ୟରେ ଭାରତ ବି ପଛରେ ନାହିଁ । ଇଣ୍ଟରନେଟ ସେବା ଦେଶର କୋଣ ଅନୁକୋଣରେ ମିଳୁଥିବାରୁ ଡାଟା ମଧ୍ୟ ସେମିତି ବ୍ୟବହାର କରାଯାଉଛି। ଭାରତରେ ଇଣ୍ଟରନେଟ୍ ଡାଟାର ବ୍ୟବହାର ବଢ଼ିଛି । କିନ୍ତୁ ଏମିତି ଏକ ସ୍ଥାନ ରହିଛି, ଯେଉଁଠି ଆଜି ବି ଭାରତୀୟମାନେ ଇଣ୍ଟରନେଟ ସେବାକୁ ବ୍ୟବହାର କରିପାରୁନାହାନ୍ତି। ଆଉ ତାହା ହେଉଛି ଆକାଶ ବା ବିମାନ ଭିତରେ। କିନ୍ତୁ ଆଗାମୀ ସମୟରେ ଭାରତୀୟ ବିମାନ ମଧ୍ୟରେ ଇଣ୍ଟରନେଟର ବ୍ୟବହାର କରିପାରିବେ। ଇଣ୍ଟରନେଟର ବ୍ୟବହାରକୁ ଦୃଷ୍ଟିରେ ରଖି ଏକ ପ୍ରମୁଖ ଭାରତୀୟ ଏୟାରଲାଇନ୍ସ କମ୍ପାନୀ ସ୍ପାଇସଜେଟ୍ କହିଛି ଯେ ଖୁବଶୀଘ୍ର ଏହାର ବିମାନରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ଆଣିବାକୁ ଯୋଜନା କରୁଛି ।

ଏୟାରଲାଇନ୍ସର ୧୭ ବର୍ଷ ପୂର୍ତ୍ତି ଅବସରରେ ସ୍ପାଇସଜେଟର ଚେୟାରମ୍ୟାନ ଅଜୟ ସିଂ କହିଛନ୍ତି, ଏୟାରଲାଇନ ନିଜ ବିମାନରେ ଖୁବଶୀଘ୍ର ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଆରମ୍ଭ କରିବ। କମ୍ପାନୀ ଆଗାମୀ କିଛି ମାସ ମଧ୍ୟରେ ବିମାନ ବୋଇଂ-୭୩୭ ମ୍ୟାକ୍ସ ବିମାନରେ ସାମିଲ କରିବ। ସ୍ପାଇସଜେଟର ୱେବସାଇଟ ମୁତାବକ, ଏୟାରଲାଇନ ପାଖରେ ୯୧ ବିମାନ ରହିଛି। ୧୩ଟି ମ୍ୟାକ୍ସ ବିମାନ ଏବଂ ୪୬ ବୋଇଂ –୭୩୭ ବିମାନ ପୁରୁଣା ରହିଛି।

ସ୍ପାଇସଜେଟ ମାସିକ ଆଧାରରେ ଅଧିକ ଯାତ୍ରୀଙ୍କ ସହିତ ଉଡାଣ ଭରୁଛି। ଆଗାମୀ ମାସରେ ମଧ୍ୟ ଏହା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସିଂ କହିଛନ୍ତି, ବୋଇଂ ୭୩୭ ମ୍ୟାକ୍ସ ବିମାନର ସଫଳତାପୂର୍ବକ ସେବା ଫେରିଆସିଛି ଏବଂ ଯାତ୍ରୀମାନଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳୁଛି। ଏୟାରଲାଇନ ଆଗାମୀ କିଛି ମାସରେ ସବୁ ପୁରୁଣା ବିମାନକୁ ମ୍ୟାକ୍ସରେ ପରିବର୍ତ୍ତନ କରିବାର ଯୋଜନା ରଖିଛି।

ସେ କହିଛନ୍ତି ଚଳିତ ବର୍ଷରେ କମ୍ପାନୀ ଏହାର ନେଟୱର୍କରେ ନୂଆ ଉତ୍ପାଦ ଯୋଡ଼ିବାକୁ ଯାଉଛି । ନିକଟରେ ସ୍ପାଇସକ୍ଲବ ତରଫରୁ ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ମଧ୍ୟ ଲଞ୍ଚ କରାଯାଇଥିଲା । ଏହି ଅବସରରେ ସେ କହିଥିଲେଯେ ଏୟାରଲାଇନ ନିଜ ବିମାନରେ ଖୁବଶୀଘ୍ର ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଆରମ୍ଭ କରିବ ।