ଭୁବନେଶ୍ବର,୨/୧୨ : ରାଜ୍ୟରେ ଏଚ୍ଆଇଭି ସଂକ୍ରମଣ ହାର ହ୍ରାସ ପାଇଛି। ଜାତୀୟସ୍ତରରେ ଏଚ୍ଆଇଭି ସଂକ୍ରମଣ ହାର ୦.୨୨ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ୦.୧୩ ପ୍ରତିଶତ ରହିଛି। ସେହିପରି ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଜାତୀୟସ୍ତରରେ ଏହା ୨୭ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଏହା ୩୦ ପ୍ରତିଶତ ରହିଛି। ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଓ ମାଗଣାରେ ସ୍ବାସ୍ଥ୍ୟ ସେବା ଉପଲବ୍ଧ ହେବା ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା।
ଆଜି ଜୟଦେବ ଭବନରେ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ବା ଓସାକ୍ସ ପକ୍ଷରୁ ବିଶ୍ବ ଏଡ୍ସ ଦିବସ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ଜେନା କହିଲେ, ଏଡ୍ସର ନିୟନ୍ତ୍ରଣ ପାଇଁ ଅଧିକରୁ ଅଧିକ ସଚେତନତାର ଆବଶ୍ୟକତା ରହିଛି। ସ୍ବାସ୍ଥ୍ୟ ବିଭାଗ ସହିତ ସ୍ବେଚ୍ଛାସେବୀ ସଂଗଠନ, ରେଡକ୍ରସ୍ ଓ ଅନ୍ୟାନ୍ୟ ସଂଗଠନମାନେ ଏ ଦିଗରେ ଆଗେଇ ଆସିବେ ରାଜ୍ୟରେ ଏଡ୍ସ ନିୟନ୍ତ୍ରଣ ହୋଇପାରିବ ବୋଲି ଶ୍ରୀ ଜେନା କହିଥିଲେ।
ଏହି ଅବସରରେ ଓସାକ୍ସର ବାର୍ଷିକ ବିବରଣୀ ଉନ୍ମୋଚିତ ହୋଇଥିଲା। ପରେ ଏଚଆଭି/ଏଡ୍ସ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସଚେତନତା ବାର୍ତା ମଧ୍ୟ ଉନ୍ମୋଚିତ ହୋଇଥିଲା। ଏହାସହ ଏଚ୍ଆଇଭି ସଚେତନତା ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ଓସାକ୍ସର ପ୍ରକଳ୍ପ ନିର୍ଦେଶକ ସଂଜୟ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସକାଳେ ବିଶ୍ବ ଏଡ୍ସ ଦିବସ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଏକାମ୍ର ହାଟରୁ ବାହାରି ଜୟଦେବ ଭବନରେ ପହଞ୍ଚିଥିଲା। ଏହାସହ ବିଶ୍ବକପ ହକିରେ ଏକ ମାନବ ରେଡ୍ ରିବନ୍ ଅନୁଷ୍ଠିତ ହୋଇଥିଲା।