ଏଣିକି କିନ୍ନର ପାଇବେ ପରିବାର ପେନ୍‌ସନ : ହାଇକୋର୍ଟ

କଟକ,୨୭/୫ : କିନ୍ନରଙ୍କୁ ପରିବାର ପେନସନ୍ ପ୍ରଦାନ ସପକ୍ଷରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏଥି ସହିତ ତୃତୀୟ ଲିଙ୍ଗ ବା କିନ୍ନରଙ୍କ ନିଜର ଲିଙ୍ଗ ଚୟନ କରିବାର ସଂପୂର୍ଣ୍ଣ ଅଧିକାର ରହିଛି ବୋଲି ହାଇକୋର୍ଟ କହିଛନ୍ତି । ଜଣେ କିନ୍ନର ବ୍ୟକ୍ତି ମହିଳା ବା ପୁରୁଷ ବା ତୃତୀୟ ଲିଙ୍ଗରେ ରହିବେ ତାହା ସେ ନିଜେ ସ୍ଥିର କରିବେ। ସଂପୃକ୍ତ କିନ୍ନରଙ୍କ ନିଷ୍ପତ୍ତି ଅନୁସାରେ ତାଙ୍କୁ ପରିଚୟ ଓ ସ୍ବୀକୃତି ସରକାର ଦେବେ ବୋଲି ହାଇକୋର୍ଟ କହିବା ସହିତ ଆବେଦନକାରୀ କିନ୍ନର (ମହିଳା) ତାଙ୍କ ପରଲୋକଗତ ବାପା-ମାଙ୍କ ଅବିବାହିତା ଝିଅ ଭାବେ ପରିବାର ପେନସନ୍ ପାଇବା ପାଇଁ ହକଦାର ବୋଲି ରାୟ ଦେଇଛନ୍ତି । ୬ ସପ୍ତାହ ଭିତରେ ଆବେଦନକାରୀଙ୍କୁ ପରିବାର ପେନସନ୍ ପ୍ରିନ୍ସପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଏ ଆଣ୍ଡ ଇ) ପ୍ରଦାନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କେ.କୋଣ୍ଡଗିରି ଓରଫ କାଜଲଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।