ଆଜି IPL-2022 ଫାଇନାଲ : ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଗୁଜୁରାଟ ଟାଇଟନ୍ସ

ଅହମ୍ମଦାବାଦ,୨୯/୫ : ଦୀର୍ଘ ୬୬ ଦିନର ରୋମାଞ୍ଚ ଓ ୭୩ଟି ସଂଘର୍ଷପୂର୍ଣ୍ଣ ମୁକାବିଲା ପରେ ଚଳିତ ଆଇପିଏଲ୍‌ର ଟାଇଟଲ ଲଢେଇ ଆରମ୍ଭ ହେବାକୁ ଯାଉଛି । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ଆଇପିଏଲ୍‌ର ଆକର୍ଷଣୀୟ ଟ୍ରଫି ଓ ମନଲୋଭା ପୁରସ୍କାର ହାତେଇବା ପାଇଁ ମଇଦାନକୁ ଓହ୍ଲାଇବେ ।

ପଦାର୍ପଣରେ ଆଇପିଏଲ୍‌ ଚାମ୍ପିଅନ୍‌ ହେବାକୁ ଗୁଜରାଟ ଟାଇଟନ୍ସ ଲକ୍ଷ୍ୟ ରଖିଛି । ରାଜସ୍ଥାନ ରୟାଲ୍ସ ଦୀର୍ଘ ୧୪ ବର୍ଷ ପରେ ପୁଣିଥରେ ଫାଇନାଲ୍‌ ଖେଳିବାକୁ ଯାଉଛି । ଏଥର ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରି ରୟାଲ୍ସ ଦଳ ଦ୍ୱିତୀୟ ଟାଇଟଲ ହାସଲ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ନବ ନିର୍ମିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୧ଲକ୍ଷ ୩୨ ହଜାର ଦର୍ଶକ ବସି ମ୍ୟାଚ୍‌ ଉପଭୋଗ କରିବେ ।

ବିଶ୍ୱର ସବୁଠୁ ବଡ କ୍ରିକେଟ୍‌ ଷ୍ଟାଡିୟମ୍‌ ଲୋକାର୍ପିତ ହେବା ପରଠୁ ପ୍ରଥମ କରି ଦର୍ଶକରେ ପୂର୍ଣ୍ଣ ହେବାକୁ ଯାଉଛି । ପୂର୍ବରୁ କରୋନା ଯୋଗୁଁ ଏଠାରେ କିଛି ଘରୋଇ ଓ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଥିଲା । ପ୍ରଥମ କରି ଦ୍ୱିତୀୟ କ୍ୱାଲିଫାୟର ମୁକାବିଲାରେ ୮୦,୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ ଷ୍ଟାଡିୟମ୍‌ରେ ବସି ମ୍ୟାଚ୍‌ ଦେଖିଥିଲେ ।

ଆଜିର ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା ଏକ ପ୍ରକାର ଅସମ୍ଭବ । ଦ୍ୱିତୀୟ କ୍ୱାଲିଫାୟର୍‌ ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଏକତରଫା ଭାବେ ହରାଇବା ପରେ ରୟାଲ୍ସ ଦଳକୁ ହାଲ୍‌କା ଭାବିବା ଟାଇଟନ୍ସ ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ । ଅବଶ୍ୟ ଲିଗ୍‌ ଓ ପ୍ରଥମ କ୍ୱାଲିଫାୟରରେ ଟାଇଟନ୍ସ ଉଭୟ ମ୍ୟାଚ୍‌ ଜିତିଥିଲା । ଫାଇନାଲ୍‌ ଜିତି ରୟାଲ୍ସ ବିପକ୍ଷରେ ଅପରାଜେୟ ରହିବାକୁ ଟାଇଟନ୍ସ ପ୍ରୟାସ କରିବ ।

ଗତ ୪ଟି ସିଜନ୍‌ ଧରି ଚାମ୍ପିଅନ୍‌ ଦଳ ରନର୍ସଅପ୍‌ ଦଳ ବିପକ୍ଷରେ ସମସ୍ତ ମ୍ୟାଚ୍‌ ଜିତିବାର ରେକର୍ଡ ରହିଛି । ୨୦୧୮ ସିଜନରେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ସନରାଇଜର୍ସ ପରସ୍ପରକୁ ୪ଥର ଭେଟିଥିଲେ । ସୁପରକିଙ୍ଗ୍‌ସ ସମସ୍ତ ମ୍ୟାଚ୍‌ ଜିତି ଚାମ୍ପିଅନ୍‌ ହୋଇଥିଲା । ସେହିପରି ୨୦୧୯ ସିଜନରେ ସୁପରକିଙ୍ଗ୍‌ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ୪ଟି ଯାକ ମ୍ୟାଚ୍‌ ଜିତି ଚାମ୍ପିଅନ୍‌ ହୋଇଥିଲା । ୨୦୨୧ ସିଜନରେ ନାଇଟ ରାଇଡର୍ସ ବିପକ୍ଷରେ ସୁପରକିଙ୍ଗ୍‌ସ ୩ଟି ଯାକ ମ୍ୟାଚ ଜିତି ଚାମ୍ପିଅନ୍‌ ହୋଇଥିଲା ।