କେନ୍ଦ୍ରାପଡା,୨୯/୫: ଓଡିଶା ରାଜ୍ୟ ସରକାର ଶାସନ କାଳରୁ ପୁରୁଷଙ୍କ ପରିବର୍ତ୍ତେ ମହିଳାଙ୍କୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି l ସଭା ସମିତି ପଂଚାୟତ ଠାରୁ ବିଧାନ ସଭା ପର୍ଯ୍ୟନ୍ତ ମହିଳାମାନଙ୍କୁ ସ୍ଥାନ ସଂରକ୍ଷଣ କରି ଗୁରୁତ୍ୱ ଦେଉଛନ୍ତି l ରାଜ୍ୟ ସରକାରଙ୍କ ମା’ କୁ ସମ୍ମାନ ଗାଁକୁ କାମ, ଓଡିଶା ଜୀବିକା ମିଶନ, ମହିଳା ମିଶନ ଶକ୍ତି, ଗୋ ଆହେଡ଼ ଆଦି ବିଭିନ୍ନ ମହିଳା ଉନ୍ନତି କରଣ ଯୋଜନା କରୁଛନ୍ତି l ଏହି ଭାବେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇ ଗାଁ ଗଣ୍ଡାରେ ସୃଷ୍ଟି କରିଛନ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ । ଆଉ ଦେଉଛନ୍ତି ଲକ୍ଷାଧିକ ଟଙ୍କା ଋଣ ଆକାରରେ । ଯାହାକୁ ନେଇ ମହିଳାମାନେ ବେଶ ଭଲ ଦୁଇ ପଇସା କମାଇ ନିଜର ପରିବାର ପ୍ରତିପୋଷଣ ସହ ହୋଇପାରିଛନ୍ତି ଆତ୍ମନିର୍ଭରଶିଳ । ଆଉ ଏହି ମହିଳା ଗୋଷ୍ଠୀଙ୍କୁ ସମସ୍ତ କାର୍ଯ୍ୟରେ ସହଯୋଗ କରିବାପାଇଁ ବ୍ଲକ ଓ ପଞ୍ଚାୟତରେ ସୃଷ୍ଟି କରିଛନ୍ତି ମହିଳା ମହାସଂଘ ଓ ନିଯୁକ୍ତି ଦେଇଛନ୍ତି ଏମଵିକେ ଆଉ ସିଆରପି ।
ଏହାରି ଭିତରେ କିଛି ଏମଵିକେ ଆଉ ସିଆରପି ଗାଁ ଗହଳିର ନିରୀହ ମହିଳା ମାଆ ମାନଙ୍କୁ ଠକି ହେଉଛନ୍ତି ମାଲାମାଲ । ଯାହାକି ରାଜ୍ୟ ସରକାରଙ୍କ ମହିଳା ମିଶନର ଭିଜନର ଲକ୍ଷ୍ୟକୁ ବିପଥ ଗାମୀ କରାଇ ମହିଳାଙ୍କୁ ଲୁଟୁଛନ୍ତି l ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ଜୁଆଣିଆ ପଞ୍ଚାୟତରେ । ସୂଚନାରୁ ପ୍ରକାଶ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଜୁଆଣିଆ ପଞ୍ଚାୟତରେ ୫୬ ଟି ଗୋଷ୍ଠୀ ଙ୍କୁ ନେଇ ଗଠିତ ହୋଇଛି ମହାସଂଘ । ଏହି ମହାସଂଘର ସଭାପତି ଭାବରେ ତିଳୋତ୍ତମା ବେହେରା ଓ ସମ୍ପାଦିକା ଭାବେ ହେମଲତା ନାୟକ କାର୍ଯ୍ୟ କରନ୍ତି । ଏହି ମହାସଂଘର ଏମଵିକେ ଭାବେ ମାଆ ବୈଶାଖୀ ସାମଲ ଓ ସିଆରପି ଭାବେ ଝିଅ ବବିତା ସାମଲ କାର୍ଯ୍ୟ କରିବା ସହିତ ନିଜ ପାଖରେ ସମସ୍ତ ୫୬ ଟି ଗୋଷ୍ଠୀର ଆକାଉଣ୍ଟ ବହି ଓ ଚେକ ବହି ନିଜ ପାଖରେ ରଖନ୍ତି ।ଏହାରି ଭିତରେ ୪୨୦ ସାଜି ମାଆ ବୈଶାଖୀ ଓ ଝିଅ ବବିତା ସାମଲ ସଭାପତି ଓ ସମ୍ପାଦକଙ୍କ ଦସ୍ତଖତକୁ ଜାଲିଆତି କରି ଦୁଇଟି ଆକାଉଣ୍ଟରୁ ୧୭ ଲକ୍ଷ ୯୬ ହଜାର ଲୁଟ କରିଛନ୍ତି ।ଏହି ଲୁଟର ଖବର ପାଇ ସଭାପତି ଓ ସମ୍ପାଦିକାଙ୍କ ସମେତ ସଭ୍ୟାମାନେ ମାର୍ଚ୍ଚ ୪ ତାରିଖରୁ ଆଳି ଥାନା ଓ ଆଳି ବିଡ଼ିଓ ଙ୍କ ନିକଟରେ ଅଭିଯୋଗ କରିଥିଲେ ।
ହେଲେ ଅଢେଇ ମାସ ବିତି ଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ମହାସଂଘର ସଭାପତି , ସମ୍ପାଦିକା ଓ ଶତାଧିକ ମହିଳା ଟଙ୍କା ହଡପକାରି ୪୨୦ ମାଆ ଆଉ ଝିଅଙ୍କ ଘର ଘେରାଉ କରି ଟଙ୍କା ଫେରସ୍ତ ପାଇ ଦାବି କରିବା ସହିତ ପଞ୍ଚାୟତର ସରପଞ୍ଚ ସୁବ୍ରତ ନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସରପଂଚ ମହିଳା ମାନଙ୍କ କଥାକୁ ଗୁରୁତ୍ୱ ଦେଇ ଏମଵିକେ ଓ ସିଆରପିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏନେଇ ମହାସଂଘ ତରଫରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ଘଟଣାର ଖୁଲାଶା କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅନ୍ୟପଟରେ ଏ ନେଇ ବିଡ଼ିଓ ପ୍ରତିକ୍ରିୟା ଦେଇ କହିଛନ୍ତି ଏ ସମ୍ପର୍କରେ ଓଡିଶା ଜୀବିକା ମିଶନ ପକ୍ଷରୁ ଆଳି ଥାନା ଓ ଏସପିଙ୍କ ନିକଟରେ ଅଭିଯୋଗ ହୋଇଛି, ଏ ନେଇ ଆଳି ଥାନା ସହ କଥା ହୋଇଛି ନିଶ୍ଚିନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତି ଯୋଜନାର ସୁଫଳ ଦିଗରେ ମହିଳା ମାନେ ସହଯୋଗ କରିବାକୁ ସଭିଏଁ ଲକ୍ଷ୍ୟ ଦେବାକୁ ଠକାମୀର ଶୀକାର ହୋଇଥିବା ମହିଳା ଗୋଷ୍ଠୀର ସଭ୍ୟା ମାନେ ନିବେଦନ କରନ୍ତି l