ନବ ଦେଲେ ସଂକେତ : କଂଗ୍ରେସ ଛାଡ଼ି ପାରନ୍ତି !

ଭୁବନେଶ୍ଵର, ୨/୧୨: ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତିରେ ଦଳ ଅଦଳ ବଦଳ ସେତିକି ଜୋର ଧରିଛି। ନିକଟରେ ବିଜେପିରୁ ଦିଲୀପ ରାୟ ଓ ବିଜୟ ମହାପାତ୍ର ଦଳ ଛାଡ଼ିବା ପ୍ରସଙ୍ଗ ନଥମୁଣୁ ଏବେ ଝାରସୁଗୁଡାର କଂଗ୍ରେସ ବିଧାୟକ ନବ ଦାସ ଦଳ ଛାଡ଼ିବା ଚର୍ଚ୍ଚା ଜୋର ଧରିଛି। ଏନେଇ ନବ ଦାସ ମଧ୍ୟ କଂଗ୍ରେସ ଛାଡ଼ିବାର ସଙ୍କେତ ଦେଇଛନ୍ତି। କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେବେ ବୋଲି ରାଜନୈତିକ ମହଲରେ ଆଲୋଚନା ଜୋରସୋରରେ ଚାଲିଛି। ମାତ୍ର ନବ ରବିବାର ଯେଉଁ ଇସାରା ଦେଇଛନ୍ତି ସେଥିରୁ ସଙ୍କେତ ମିଳୁଛି ଯେ ସେ ବିଜେଡ଼ିରେ ଯୋଗ ଦେବାର ଯଥେଷ୍ଟ ସମ୍ଭାବନା ରହିଛି।

ଆଜି ନବ ଦାସ ଲଇକେରା ସାଧାରଣ ସଭାରେ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛନ୍ତି। ଏହା ଜରିଆରେ ସେ କଂଗ୍ରେସ ଛାଡ଼ିବା ନେଇ ଲୋକଙ୍କୁ ଇଙ୍ଗିତ କରିଛନ୍ତି। ସେ କହିଛନ୍ତି ଯେ ମୁଁ କାମରେ ବିଶ୍ଵାସ କରେ ଏବଂ କାହାକୁ ଭଣ୍ଡେଇ ପାରିବି ନାହିଁ। ତେଣୁ ମୁଁ ଯେଉଁ ଦଳରେ ଛିଡ଼ା ହୁଏ ଲଇକେରାକୁ ସବଡିଭିଜନ ଦାବି ପୂରା ହେବ। ଜନତା ମୋତେ ସେହି ଅଧିକାର ଦେଇଛନ୍ତି, ଚିନ୍ତା କରି ମୁଁ ନିଷ୍ପତ୍ତି ନେବି ଯେ କେଉଁ ଦଳକୁ ଗଲେ ଲୋକଙ୍କ ବିକାଶ ହେବ। ନବ କହିଛନ୍ତି ଯେ ମୋ ପାଖରେ ଜନ ସମର୍ଥନ ରହିଛି। ମୁଁ ଜୁଆଡ଼େ ଯିବ ମୋ ସହିତ ଲୋକେ ଯିବେ। ଦଳ ଛାଡ଼ିବା ନେଇ ମୁଁ ମୋର କର୍ମୀଙ୍କ ମତାମତ ଲୋଡ଼ୁଛି। ସେମାନଙ୍କ ସହ ଆଲୋଚନା ପରେ ଦଳ ଛାଡ଼ିବା ଉପରେ ଶୀଘ୍ର ନିଷ୍ପତ୍ତି ନେବି ବୋଲି ନବ କହିଛନ୍ତି। କିନ୍ତୁ ପରେ ଗଣମାଧ୍ୟମ ପ୍ରଶ୍ନରେ ଦଳ ଛାଡ଼ିବା ଚର୍ଚ୍ଚାକୁ ନବ ଦାସ ଖଣ୍ଡନ କରିଛନ୍ତି ।