ବୌଦ୍ଧ ଜିଲ୍ଲା ପାଣଗଣ୍ଡା ସମାଜର ହରଭଙ୍ଗା ତହସିଲ ଘେରାଉ
ବିଡ଼ିଓ ଏବଂ ତହସିଲଦାରଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ କଲା ସଙ୍ଘ
ବୌଦ୍ଧ,୧୦/୬ : (ଭାଗବତ ମେହେର) – ବୌଦ୍ଧ ଜିଲ୍ଲା ପାଣଗଣ୍ଡା ସମାଜର ହରଭଙ୍ଗା ବ୍ଳକରେ ଶୁକ୍ରବାର ଦିନ ପାଣଗଣ୍ଡା ସମାଜ ତରଫରୁ ଜିଲ୍ଲା ସଭାପତି ବଟକୃଷ୍ଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ ବିଡ଼ିଓ ଏବଂ ତହସିଲଦାରଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ସର୍ବପ୍ରଥମେ ଚାରିଛକ ସ୍ଥିତ ଜଗନ୍ନା ମନ୍ଦିରରୁ ପାଣ ଗଣ୍ଡା ସମାଜର ଏକ ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷ ଓ ମହିଳାଙ୍କୁ ନେଇ ବିଭିନ୍ନ ମୌଳିକ ସମସ୍ୟା ସହ ବିରାଟ ଶୋଭାଯାତ୍ରା କରି ବ୍ଲକ କାର୍ଯ୍ୟାଳୟକୁ ଆସି ହରଭଙ୍ଗା ବିଡ଼ିଓଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା ।

ତାପରେ ହରଭଙ୍ଗା ତହସିଲ କାର୍ଯ୍ୟାଳୟକୁ ଆସି ତହସିଲଦାରଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ କରି ପାଣ ଗଣ୍ଡା ସମାଜର ବ୍ୟକ୍ତି ବିଶେଷଙ୍କୁ ସରକାରଙ୍କ ମୋ ଜମି ମୋ ଡିହ ଯୋଜନାରେ ୧୦ ଡେସମିଲ ଲେଖାଏଁ ଘରଡିହ, ଦୁଇ ଏକର ଚାଷ ଜମି , ହରଭଙ୍ଗାର ଶତାଧିକ ପାଣ ଗଣ୍ଡା ସମାଜ ବସ୍ତିକୁ ରାସ୍ତା ନିର୍ମାଣ ଓ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଦାବି କରିଥିଲେ । ଉଭୟ ତହସିଲଦାର ଓ ବିଡ଼ିଓ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସମାଜର ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ, ଉପ ସଭାପତି ରୋହିତ କହଁର , ସହକାରୀ କୋଷାଧ୍ୟକ୍ଷ ପଙ୍କଜ ବେହେରା , ସଙ୍ଗଠନ ସମ୍ପାଦକ ଦେବଦତ୍ତ ସାଗରଙ୍କ ସମେତ ହରଭଙ୍ଗା ବ୍ଲକର ୨୨ ଟି ପଞ୍ଚାୟତର ସମସ୍ତ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ।