ବାରବାଟୀରେ ଦିନ ୧ଟାରୁ ନେଟ୍‌ ଅଭ୍ୟାସ ଆରମ୍ଭ

ଭୁବନେଶ୍ୱର,୧୧/୬: ଆଜି ଅପରାହ୍ଣରେ ଭାରତ-ଦକ୍ଷିଣ ଆଫ୍ରିକା ଉଭୟ ଦଳ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବାକୁ ପହଂଚିବେ । ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକା ଦଳ ଦିନ ୧ଟାରୁ ନେଟ୍‌ ଅଭ୍ୟାସ କରିବ । ସେହିପରି ଭାରତୀୟ ଦଳ ଅପରାହ୍ଣ ୫ଟାରୁ ଅଭ୍ୟାସକୁ ଓହ୍ଲାଇବେ ।

ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ଦ୍ୱିତୀୟ ଟି-ଟ୍ୱେଣ୍ଟି । ଶୁକ୍ରବାର ପୂର୍ବ ନିର୍ଦ୍ଧାରିତ ସମୟରେ ନୂଆଦିଲ୍ଲୀରୁ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିଥିଲା । ବିମାନବନ୍ଦରରୁ କଡ଼ା ସୁରକ୍ଷା ମଧ୍ୟରେ ଉଭୟ ଦଳର ଖେଳାଳିଙ୍କୁ ହୋଟେଲ ମେ’ଫେୟାରକୁ ଅଣାଯାଇଥିଲା । ହୋଟେଲରେ ଖେଳାଳିଙ୍କୁ ସ୍ୱାଗତ କରିବା ପାଇଁ ପୂର୍ବରୁ ଘୋଡ଼ା ନାଚ ଓ ଯୋଡ଼ି ଶଙ୍ଖର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ବାଦ୍ୟ ଓ ନୃତ୍ୟରେ ପରିସର ପ୍ରକମ୍ପିତ ହୋଇ ଉଠିଥିଲା । ଖେଳାଳିମାନେ ବସ୍‌ରୁ ଓହ୍ଲାଇବା ପରେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା ।