ହରଭଙ୍ଗା ବ୍ଲକ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନପୂଣ୍ଣିମା ପାଳିତ
ଗଜାନନ ବେଶରେ ଭକ୍ତଙ୍କୁ ଦେଲେ ଦର୍ଶନ
ବୌଦ୍ଧ,୧୪/୬ : (ଭାଗବତ ମେହେର) – ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଗଜାନନ ବେଶରେ ଭକ୍ତଙ୍କୁ ଦେଲେ ଦର୍ଶନ । ସେହିପରି ଚାରିଛକ ସ୍ଥିତ ଠିଡିକାଜୋର ଶ୍ରୀ ପୁରୁଷୋତ୍ତମ ଦେବ ଜଗନ୍ନାଥ ମନ୍ଦିର ରେ ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ଗଜାନନ ବେଶ ମହାଆଡମ୍ବର ଭାବେ ପାଳିତ ହୋଇଯାଇଛି । ପ୍ରଥମେ ଭୋର ୪ଘଣ୍ଟା ସମୟରେ ମନ୍ଦିର ଦ୍ଵାର ଫିଟା , ଅବକାଶ ନୀତି ପରେ ସକାଳ ୬ ଘଣ୍ଟା ସମୟରେ ବାଳ ଭୋଗ ଓ ମଙ୍ଗଳ ଆଳତି କରାଯାଇଥିଲା । ତାପରେ ନାମ ସଂକୀର୍ତ୍ତନ ସହିତ ଧଳପୁର ସ୍ଥିତ ମହାନଦୀ ଘାଟରୁ ପାରମ୍ପରିକ ପୂଜାର୍ଚ୍ଚନା ପରେ ସଙ୍କଳ୍ପ କରାଯାଇ ଜଳ ଅଣାଯାଇଥିଲା । ମନ୍ଦିର ରେ ଜଳ ପହଁଚିବା ପରେ ରତ୍ନସିଂହାସନ ରୁ ପହଣ୍ଡି କରାଯାଇ ଠାକୁରଙ୍କୁ ସ୍ନାନବେଦୀରେ ବିଜେ କରାଯାଇଥିଲା। ହୋମକାଯ୍ୟ ସମ୍ପାଦାନ ପରେ ନାମ ସଂକୀର୍ତ୍ତନ ସହିତ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶରେ ମନ୍ତ୍ରପାଠ ମଧରେ ଠାକୁରଙ୍କୁ ୧୦୮ ଗରା ସୁବାସିତ ଜଳରେ (ସୁଦର୍ଶନ-୧୮,ବଳଭଦ୍ର-୩୩,ସୁଭଦ୍ରା-୨୨,ଜଗନ୍ନାଥ-୩୫) ସ୍ନାନନୀତି ସମାପନ ପରେ ମହାପ୍ରଭୁ ଭକ୍ତମାନଙ୍କୁ ଗଜାନନ ବେଶରେ ଦର୍ଶନ ଦେଇଥିଲେ। ଏହି କାଯ୍ୟ କୁ ଜିତେନ୍ଦ୍ର କୁମାର ଦାଶ, ବାମଦେବ ଦାଶ,ସନ୍ତୋଷ ପ୍ରଣିଗ୍ରାହୀ ଓ ରଥାଙ୍କ ପାଢ଼ୀ ଙ୍କ ଦ୍ଵାରା ଯଥା ରୀତିନୀତି ରେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ସିକନ ନାୟକ,ଏସ ସାତ୍ରୀ ପାତ୍ର, କମିଟି ସଭାପତି କୃଷ୍ଣଚନ୍ଦ୍ର ମଲ୍ଲିକ,ଅର୍ଜୁନ କହଁର,ଦୁର୍ଯୋଧନ ସାହୁ ପ୍ରମୁଖ କମିଟି ସଦସ୍ୟ ଉପସ୍ଥିତ ଥିଲେ। ସେହିପରି ହରଭଙ୍ଗା, ତିଳେଶ୍ୱର, ରାମଗଡ଼, ଧଳପୁର, ପୁରୁଣା କଟକ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କୁ ସ୍ନାନ ଯାତ୍ରା ଓ ପରେ ଗଜାନନ ବେଶ କରାଯାଇଥିଲା । ମନ୍ଦିର ପରିସରରେ ନାଁମ ସଂକୀର୍ତନ ଆଦି କରାଯାଇଥିବା ବେଳେ ସମସ୍ତ କାର୍ଯ୍ୟକୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପରିଚାଳନା କରାଯାଇଥିଲା ।