କେନ୍ଦ୍ର କ୍ୟାବିନେଟର ଅନୁମୋଦନ: ଏଣିକି ଆରମ୍ଭ ହେବ 5G ଯୁଗ

ନୂଆଦିଲ୍ଲୀ: ଏଣିକି ହାଇ ସ୍ପିଡରେ ଚାଲିବ ଇଣ୍ଟରନେଟ୍‌। ଖୁବ୍‌ଶୀଘ୍ର ଭାରତରେ ଉପଲବ୍ଧ ହେବ ୫-ଜି ସର୍ଭିସ। ଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସମଗ୍ର ଦେଶରେ ୫ଜି ସେବା ଯୋଗାଇବା ପାଇଁ ସ୍ପେକ୍ଟ୍ରମ୍ ନିଲାମ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ତେଣୁ ଖୁବ୍‌ ଶୀଘ୍ର ଏହି ସ୍ପେକଟ୍ରମ୍‌ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ୨୦ ବର୍ଷ ବୈଧତା ସହ 72097.85 MHz  ନିଲାମି ହେବ। ଆସନ୍ତା ଜୁଲାଇ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଲାମି ଡକାଯିବା ନେଇ କେନ୍ଦ୍ର ଟେଲିକମ୍‌ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ଏହି ପ୍ରସ୍ତାବକୁ ଟେଲି ଯୋଗାଯୋଗ ବିଭାଗ ଆଣିଥିଲା ​​ଓ ଏହାକୁ ଅନୁମୋଦନ କରିବା ପରେ ବର୍ତ୍ତମାନ ସ୍ପେକ୍ଟ୍ରମ୍ ବିକ୍ରୟ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ ଓ ଯିଏ ସର୍ବାଧିକ ବିଡ୍ କରିବ ତାଙ୍କୁ ୫ଜି ସ୍ପେକ୍ଟ୍ରମ୍ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସରକାର ସାରା ଦେଶରେ ଡିଜିଟାଲ ସଂଯୋଗ ବୃଦ୍ଧି ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ସରକାର ଡିଜିଟାଲ୍ ଇଣ୍ଡିଆ, ଷ୍ଟାର୍ଟ ଅପ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ ସମେତ ଅନ୍ୟାନ୍ୟ ମିଶନ ମଧ୍ୟ ଆରମ୍ଭ କରିଛନ୍ତି ଓ ଏହାର ଏକ ପ୍ରମୁଖ ନୀତି ଭାବରେ ଦେଶକୁ ଡିଜିଟାଇଜେସନ୍ କରିବାର ମିଶନ ଆରମ୍ଭ କରିଛନ୍ତି।

୪ଜି ସର୍ଭିସଠାରୁ ୫ଜି ନେଟୱର୍କ ୧୦ ଗୁଣା ଅଧିକ ସ୍ପିଡ ହେବ ବୋଲି କ୍ୟାବିନେଟ ବୈଠକରେ ମତ୍ତ ପ୍ରକାଶ ପାଇଛି। ମୁଖ୍ୟତଃ ଲୋ ପାଇଁ (600 MHz, 700 MHz, 800 MHz, 900 MHz, 1800 MHz, 2100 MHz, 2300 MHz), Mid (3300 MHz) ଏବଂ ହାଇଫ୍ରିକୁଏନ୍ସି ପାଇଁ  26 GHz ଲାଗି ନିଲାମ ହେବ। ଟେଲିକମ୍‌ ସେକ୍ଟର ପ୍ରଗତିରେ ୫ଜି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି  ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କହିଛନ୍ତି। ତେବେ ପ୍ରଥମଥର ପାଇଁ ନିଲାମି ପକ୍ରିୟାରେ ଏକ ବଡ଼ ପରିବର୍ତ୍ତନ ଅଣାଯାଇଛି।

ନିଲାମି ପ୍ରକ୍ରିୟାରେ ଭାଗ ନେଉଥିବା ସଫଳ ବିଡରଙ୍କୁ ସିଧାସଳଖ ସମସ୍ତ  ଅର୍ଥ ପୈଠ କରିବାକୁ ପଡ଼ିବନି । ସେମାନଙ୍କୁ ବାର୍ଷିକ ୨୦ଟି ଇନ୍‌ଷ୍ଟଲମେଣ୍ଟ ସୁଯୋଗ ଦିଆଯିବ। ସେହିପରି ପ୍ରତିଦଶ ବର୍ଷରେ ବିଡରମାନଙ୍କୁ ସ୍ପେକ୍ଟ୍ରମ ସରେଣ୍ଡର କରିବାକୁ ସୁଯୋଗ ଦିଆଯିବ। ତେବେ ଏହି ନିଲାମିରେ ପ୍ରମୁଖ ଟେଲିକମ୍‌ ସଂସ୍ଥା ଭୋଡାଫୋନ୍‌ ଆଇଡିଆ, ଭାରତୀ ଏୟାର ଟେଲ ଏଲଟିଡି ଏବଂ ରିଲାନ୍ସ ଇଣ୍ଡଷ୍ଟ୍ରିଜ୍‌ ଏଲଟିଡି ଭାଗ ନେବାର ସମ୍ଭାବନା ରହିଛି। ଦେଶରେ ସୃଷ୍ଟି ହୋଇଥିବା ୪ଜି ଇକୋସିଷ୍ଟମ୍ ବର୍ତ୍ତମାନ ୫ଜିର ସ୍ୱଦେଶୀ ବିକାଶ ଦିଗରେ ଆଗେଇ ଆସୁଛି। ଦେଶର ୮ଟି ଟପ୍ ଟେକ୍ନୋଲୋଜି ପ୍ରତିଷ୍ଠାନରେ ୫ଜି ଟେଷ୍ଟ ବେଡ୍ ସେଟଅପ୍ ସ୍ଥାପିତ ହୋଇଛି, ଯାହା ମାଧ୍ୟମରେ ଶୀଘ୍ର ଭାରତ ୫ଜି ସେବା ଯୋଗାଇବା ଆରମ୍ଭ କରିବ ଓ ୫ଜି କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭରଶୀଳ ହୋଇପାରିବ।