ରାଷ୍ଟ୍ରପତି ନିର୍ବାଚନରେ ମିଳିତ ପ୍ରାର୍ଥୀ ଦେବେ ବିରୋଧୀ: ଚାଲିଛି ମାନସ ମନ୍ଥନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ରାଜନୀତି ଜୋର ଧରିଛି । ପ୍ରାର୍ଥୀ ମନୋନୟ ପାଇଁ ବିରୋଧୀଙ୍କର ଚାଲିଛି ମାନସ ମନ୍ଥନ । ରାଷ୍ଟ୍ରପତିଙ୍କ ନାଁ ଫାଇନାଲ କରିବାକୁ ଦିଲ୍ଲୀରେ ଟିମଏସି ସୁପ୍ରିମୋ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳର ନେତାଙ୍କୁ ବୈଠକରେ ଡାକିଥିଲେ । ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା କହିଛନ୍ତି ଯେ, ‘ରାଷ୍ଟ୍ରପତି ନିର୍ବାଚନରେ ମିଳିତ ପ୍ରାର୍ଥୀ ଦେବେ ବିରୋଧୀ ମଞ୍ଚ । ୧୬ଟି ଦଳର ଜଣେ ରାଷ୍ଟ୍ରପତି ପ୍ରାର୍ଥୀ ହେବେ । ଏହା ଦ୍ୱାରା ମୋଦୀ ସରକାରଙ୍କ ବିରୋଧରେ ଶକ୍ତିଶାଳୀ ପ୍ରାର୍ଥୀ ଷ୍ଟାଣ୍ଟ କରିବେ ।

ଅନ୍ୟପଟେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କରିଛନ୍ତି ଶରଦ ପାୱାର । ଏହା ପରେ ବିରୋଧୀ ପ୍ରାର୍ଥୀ ସନ୍ଧାନରେ ନୂତନ ଦ୍ଵାର ଖୋଜିଛନ୍ତି। କୁହାଯାଉଛି ବିରୋଧୀ ଦଳର ନେତାମାନେ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ପାଇଁ ମହାତ୍ମା ଗାନ୍ଧୀଙ୍କ ଅଣନାତି ଗୋପାଳକୃଷ୍ଣ ଗାନ୍ଧୀଙ୍କ ସହ ଯୋଗାଯୋଗ କରିଛନ୍ତି। ଏହା ପୂର୍ବରୁ ଗୋପାଳ କୃଷ୍ଣ ଗାନ୍ଧୀ ୨୦୧୭ରେ ଉପ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ପ୍ରାର୍ଥୀ ମଧ୍ୟ ଥିଲେ। ହେଲେ ସେ ନିର୍ବାଚନରେ ଭେଙ୍କେୟା ନାଇଡୁଙ୍କଠୁ ହାରି ଯାଇଥିଲେ।