ପାରାଦୀପ: ରଜରେ ପୁଅକୁ ପିଟି ପିଟି ମାରିଦେଲେ ବାପା, ସାବତ ମା । ଏଭଳି ଏକ ଅଭାବନୀୟ ଘଟଣା ପାରାଦୀପ ଅଭୟଚାନ୍ଦପୁର ଥାନା ତ୍ରିଲୋଚନପୁର ଗ୍ରାମରୁ ସାମ୍ନାକୁ ଆସିଛି । ଖବର ମୁତାବକ, ରଜରେ ପୁଅ ଡ୍ରେସ କିଣି ଟଙ୍କା ଖର୍ଚ୍ଚ କରିଦେବାରୁ ରାଗିଯାଇଥିଲେ ବାପା ଓ ସାବତ ମା’ । ଏହି ଘଟଣା ଧୀରେ ଧୀରେ ଉଗ୍ର ରୂପ ନେବାରୁ ଉଭୟ ବାପା ଓ ସାବତ ମା’ ପହିଲି ରଜରେ ୧୫ ବର୍ଷର ପୁଅକୁ ପିଟି ପିଟି ମାରିଦେଇଥିବା ଜଣାପଡିଛି । ନାବାଳକଙ୍କ ମାମୁଁଘର ଲୋକେ ଏଭଳି ଅଭିଯୋଗ କରିଛନ୍ତି ।
ଏହି ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଗାଁ ସ୍କୁଲ ପଛପଟ ବାଡିରୁ ମୃତଦେହକୁ ଉଦ୍ଧାର କରିଛି । ମୃତକ ହେଲେ ୧୫ ବର୍ଷୀୟ ରାହୁଲ ବେହେରା । ଏହି ଘଟଣାରେ ପୋଲିସ ତାଙ୍କ ବାପା ମକର ବେହେରା ଓ ମା’ କୁନି ବେହେରାଙ୍କୁ ପଚରାଉଚରା କରୁଛି। ହେଲେ ମୃତକଙ୍କ ବାପା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ତେବେ ରାହୁଲଙ୍କ ମା’ ଦୀର୍ଘ ୧୦ ବର୍ଷ ତଳେ ଆଖି ବୁଜି ଦେଇଥିଲେ। ସେତେବେଳେ ପତ୍ନୀ ହତ୍ୟା ମାମଲାରେ ଜେଲ୍ ଯାଇଥିଲେ ମକର ବେହେରା । ଜେଲରୁ ଫେରି ସେ କୁନି ବେହେରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହାପରେ ବାପା ଓ ସାବତ ମା’ ମିଶି ରାହୁଲଙ୍କୁ ବହୁତ ହଇରାଣ କରୁଥିଲେ। ଏଥିରେ ଅତିଷ୍ଠ ରାହୁଲ ବିଭିନ୍ନ ସମୟରେ ଛୋଟ ଛୋଟ କାମ କରି ନିଜ ଖର୍ଚ୍ଚ ଉଠାଉଥିଲେ। ଗତକାଲି ରଜ ଥିବା ବେଳେ ନିଜ ଟଙ୍କାରେ ଡ୍ରେସ କିଣି ଆଣି ପିନ୍ଧିଥିଲେ ରାହୁଲ । ଏହା ଦେଖି ତାଙ୍କ ବାପା ଓ ସାବତ ମା’ ତାଙ୍କ ଉପରେ ଅତ୍ୟାଚାର କାଟି ମାରିଦେଲେ । ଘଟଣାକୁ ନେଇ ଏବେ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି । ରାହୁଲଙ୍କ ମୃତ୍ୟୁ ପାଇଁ ମାମୁଁ ଘର ଲୋକେ ଉଭୟ ମକର ଓ କୁନିଙ୍କୁ ଦାୟୀ କରିଛନ୍ତି।