ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ୨ ଓଡ଼ିଆ : ଜଣେ ଗୁରୁତର

ବୌଦ୍ଧ ୧୭/୬: ତାମିଲନାଡୁ ଦାଦାନ ଖଟିବାକୁ ଯାଇଥିବା ବେଳେ ସଡକ ଦୁର୍ଘଟଣାର ହେଲେ ଶିକାର ୩ ଓଡିଆ । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ତାମିଲନାଡୁରେ ହେମ୍ବ୍ରମ ଅଞ୍ଚଳରେ ଘଟିଥିବା ଜଣାପଡିଛି ।

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜିରାଡ଼ ଗାଁର ଅନଙ୍ଗ ପ୍ରଧାନ, ବଘୁଆକଟା ଗାଁର ଜୟ ଭୋକ୍ତା ଓ ବରଝୁଲି ଗାଁର ସାନନ୍ଦ ଭୋଇ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲେ । ଉକ୍ତ ତିନିଜଣ ଯୁବକ ତାମିଲନାଡୁର ହେମ୍ବ୍ରମ ଅଞ୍ଚଳର ଏକ ଘରୋଇ ମାର୍ବଲ କମ୍ପାନୀରେ ରହି ଶ୍ରମିକ ଭାବେ କାମ କରୁଥିଲେ । ଏକ ମିନିଟ୍ରକରେ କୌଣସି ଏକ ସ୍ଥାନକୁ ମାର୍ବଲ ଛାଡିବାକୁ ଯାଉଥିବା ସମୟରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଦୁର୍ଘଟଣାରେ ଅନଙ୍ଗ ପ୍ରଧାନ(୩୦) ଓ ଜୟ ଭୋକ୍ତା (୩୫) ଙ୍କ ମୃତ୍ୟୁ ହୋଇଥିବା ବେଳେ ସାନନ୍ଦ ଭୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତିି ।

ଅନ୍ୟପଟେ ଦୁର୍ଘଟଣାର ଖବର ଜାଣିବା ପରେ ମୃତକମାନଙ୍କ ଗାଁରେ ଶୋକର ଛାୟା ଖେଳି ଯାଇଛି । ଉଭୟଙ୍କ ଶବକୁ ଘରକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ପରିବାର ଲୋକ ନିବେଦନ କରିଛନ୍ତି । ଏହାସହ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ପରିବାରଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।