କିସର କଳାହାଣ୍ଡି ଶାଖା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅନ୍ତର୍ଗତ ବାଦିଲିଠାରେ ନୂତନ କିସ୍‌ ଶାଖା ଉଦଘାଟିତ ହୋଇଛି । ଭିସି ଜରିଆରେ ଆଜି ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୦ କୋଟି ଟଙ୍କା ବ୍ୟୟରେ କିସର ଏହି ନୂତନ ଶାଖା ନିର୍ମାଣ ହୋଇଛି । ୧୦ ଏକର ଜମିରେ ନିର୍ମିତ ଏହି ବିଦ୍ୟାଳୟ ପାଇଁ ଜମି କ୍ରୟଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ, ସବୁଜ ବଳୟ ସୃଷ୍ଟି, ପାଚେରୀ ନିର୍ମାଣ, ମେକାନାଇଜଡ ରୋଷଶାଳା, ୨୫ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ଆସବାବପତ୍ର ଓ ଅନ୍ୟ ଆନୁସଙ୍ଗିକ ସୁବିଧା ସମେତ ଭିତ୍ତିଭୂମିର ବିକାଶ ହୋଇଛି ।

ଏଥିପାଇଁ ସମସ୍ତ ଅର୍ଥ କିଟ୍‌ ପକ୍ଷରୁ ଯୋଗାଇ ଦିଆଯାଇଛି । ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ୧୯୯୨ରେ କିସ୍‌ ପ୍ରତିଷ୍ଠା ହେବା ଦିନଠାରୁ ଦୀର୍ଘ ୩୦ ବର୍ଷ ଧରି ଶିକ୍ଷା ମାଧ୍ୟମରେ ଜନଜାତିଙ୍କ ସଶକ୍ତିକରଣ କରିଆସୁଛି । କିସ୍‌-କଳାହାଣ୍ଡି ଆବାସିକ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ କଳାହାଣ୍ଡି ଜିଲ୍ଲାର ୧୨ ଶହ ଗରିବ ଓ ଅବହେଳିତ ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରାଯିବ ।

ପାଠପଢ଼ା ବ୍ୟତୀତ ଏଠାରେ ଛାତ୍ରଛାତ୍ରୀଙ୍କୁ ଅନ୍ୟାନ୍ୟ କ୍ଷେତ୍ର ବିଶେଷ କରି ଉନ୍ନତ ମାନର କ୍ରୀଡ଼ା ତାଲିମ ପ୍ରଦାନ କରାଯିବ ।ଏଠାରୁ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ସ୍ଥିତ କିସ୍‌ କିମ୍ବା କିଟ୍‌ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିପାରିବେ । ଭୁବନେଶ୍ୱର କିସ୍‌ ଭଳି ଏଠାରେ ମଧ୍ୟ ସମ୍ପୂର୍ଣ୍ଣ ଆବାସିକ ଓ ବିନା ଦେୟରେ କଳାହାଣ୍ଡି ଜିଲ୍ଲାର ଗରିବ ଓ ଅବହେଳିତ ଜନଜାତି ପିଲାମାନେ ପାଠ ପଢିପାରିବେ ।