ଥମୁନି ‘ଅଗ୍ନିପଥ’ ନିଆଁ : ଦେଶର ଅଧା ରାଜ୍ୟକୁ ବ୍ୟାପିଲାଣି, ୧୨ ଟ୍ରେନ୍‌ ପୋଡ଼ି

ନୂଆଦିଲ୍ଲୀ,୧୮/୬ : କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ବୁଧବାରଠାରୁ ଆରମ୍ଭ ହୋଇଥିବା ହିଂସାତ୍ମକ ବିକ୍ଷୋଭ ଥମିବା ପରିବର୍ତ୍ତେ ବ୍ୟାପିବାରେ ଲାଗିଛି। ବିହାରରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ ଏବେ ଦେଶର ଅଧା ରାଜ୍ୟକୁ ବ୍ୟାପିଗଲାଣି। ଗୁରୁବାର ବିହାରରେ ବିକ୍ଷୋଭକାରୀ ଗୋଟିଏ ଟ୍ରେନ୍‌ ପୋଡ଼ିଥିବାବେଳେ ଶୁକ୍ରବାର ବିହାର, ଉତ୍ତର ପ୍ରଦେଶ ଓ ତେଲଙ୍ଗାନା ଆଦି ରାଜ୍ୟରେ ମୋଟ ୧୨ଟି ଟ୍ରେନ୍‌ରେ ନିଆଁ ଲଗାଇ ଦିଆଯାଇଛି। ପୁଲିସ ସହ ସଂଘର୍ଷରେ ତେଲଙ୍ଗାନାର ସିକନ୍ଦରାବାଦ ଠାରେ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ବିହାରର ଲଖିସରାଇଠାରେ ଟ୍ରେନ୍‌ ନିଆଁରେ ଅସୁସ୍ଥ ହୋଇପଡ଼ିଥିବା ଜଣେ ଯାତ୍ରୀଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ପୁଲିସ ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି। ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍‌ ଓ ମୋବାଇଲ ସେବା ବାତିଲ କରାଯାଇଛି।

ହିଂସାକାଣ୍ଡ ରେକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ସାମାଜିକ ଗଣମାଧ୍ୟମ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଅଗ୍ନିପଥ ଯୋଜନା ସମ୍ପର୍କରେ ବହୁ ଅପପ୍ରଚାର କରାଯାଉଥିବା କେନ୍ଦ୍ର ସରକାର ଦର୍ଶାଇଛନ୍ତି। ରେଳ ମନ୍ତ୍ରଣାଳୟ ସୂଚନାନୁଯାୟୀ, ହିଂସାକାଣ୍ଡ ଯୋଗୁଁ ବିକ୍ଷୋଭକାରୀଙ୍କ ଦ୍ବାରା ପ୍ରାୟ ୩୧୬ ଟ୍ରେନ୍‌ କ୍ଷତିଗ୍ରସ୍ତ ହୋଇଛି। ୨୧୪ ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଥିବାବେଳେ ୧୧ଟିକୁ ଭିନ୍ନ ରାସ୍ତାରେ ନିଆଯାଇଛି। ରେଳଧାରଣା ଅବରୋଧ ଯୋଗୁଁ ପ୍ରାୟ ୯୦ଟି ଟ୍ରେନ୍‌ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରି ନ ଥିବା ଜଣାପଡ଼ିଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବିକ୍ଷୋଭକାରୀଙ୍କୁ ହିଂସା ପରିହାର ସହ ଜାତୀୟ ସମ୍ପତ୍ତି ନଷ୍ଟ ନ କରିବାକୁ ନିବେଦନ କରିଛନ୍ତି।