ଗୋହତ୍ୟା ସନ୍ଦେହରେ ୟୁପିର ବୁଲନ୍ଦସହରରେ ହିଂସାକାଣ୍ଡ : ଇନ୍ସପେକ୍ଟରଙ୍କ ମୃତ୍ୟୁ

ବୁଲନ୍ଦସହର,୩/୧୨: ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଗୋହତ୍ୟା ସନ୍ଦେହରେ ସୋମବାର ଭୀଷଣ ଉତ୍ତେଜନା ହୋଇଛି। ବିକ୍ଷୋଭକାରୀ ପୋଲିସ ଥାନା ଉପରେ ଆକ୍ରମଣ କରି ପ୍ରବଳ ଭଙ୍ଗାରୁଜା କରିଛନ୍ତି। କେବଳ ଏତିକି ନୁହେଁ ଉତ୍ତେଜିତ ଲୋକ ପୋଲିସର ଏକ ଭ୍ୟାନରେ ନିଆଁ ଲଗାଇଛନ୍ତି। ପୂରା ଇଲାକା ଯୁଦ୍ଧ ମଇଦାନରେ ପରିଣତ ହୋଇଛି। ଏହି ହିଂସାକାଣ୍ଡ ସମୟରେ ପୋଲିସ ଉପରେ ପାୟରିଂ ହେବାରୁ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ ଘଟିଛି। ଇନ୍ସପେକ୍ଟରଙ୍କ ନାମ ସୁବୋଧ କୁମାର ସିଂହ।
ସୂଚନା ମୁତାବକ ବୁଲନ୍ଦସହର ନିକଟବର୍ତ୍ତୀ ସ୍ୟାନାର ଏକ ଗାଁର ଖେତରୁ ଗୋ ମାଂସ ମିଳିବାରୁ ଲୋକେ ଏହାର ଜୋରଦାର ବିରୋଧ କରିଥିଲେ। ଏହାକୁ ନେଇ ପୋଲିସ ଓ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପୋଲିସ ଗୋହତ୍ୟା ସନ୍ଦେହରେ ପ୍ରଦର୍ଶନ କରୁଥିବା ହଜାର ସଂଖ୍ୟକ ଲୋକଙ୍କ ଭିଡ଼କୁ ଘଉଡ଼ାଇବା ପାଇଁ ଗୁଳି ଚଳାଇଥିଲା। ଏଥିରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ। ଏହା ପରେ ଭିଡ଼ ଅଧିକ ଉଗ୍ର ହୋଇ ଉଠିଥିଲା। ଉତ୍ତେଜିତ ବିକ୍ଷୋଭକାରୀ ଥାନା ଉପରେ ହମଲା କରିଥିଲେ।

ପ୍ରଦର୍ଶନକାରୀ ଥାନାରେ ଭଙ୍ଗାରୁଜା କରିବା ସହିତ ପୋଲିସର ଅନେକ ଗାଡିରେ ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ବିକ୍ଷୋଭକାରୀ ଥାନା ଉପରକୁ ପ୍ରବଳ ପଥରମାଡ଼ କରିଥିଲେ। ଏହା ମଧ୍ୟରେ କେହି ଜଣେ ଭିଡ଼ ମଧ୍ୟରୁ ଫାୟରିଂ କରିଥିଲେ। ଏଥିରେ ପୋଲିସ ଇନ୍ସପେକ୍ଟର ସୁବୋଧ କୁମାର ଗୁରୁତର ଭାବେ ଆହତ ହୋଇଥିଲେ। ମାତ୍ର ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଉତ୍ତେଜନାପୂର୍ଣ୍ଣ ମାହୋଲକୁ ଦେଖି ଘଟଣାସ୍ଥଳରେ ବଡ଼ ସଂଖ୍ୟାରେ ପୋଲିସ ଦଳ ମୁତୟନ କରାଯାଇଛି। ବୁଲନ୍ଦସହରରେ ଅବସ୍ଥା ବିଗୁଡ଼ୁଥିବା ଦେଖି ମେରଠର ଏଡିଜି ଘଟଣାସ୍ଥଳକୁ ଯାଇଛନ୍ତି। ଉଲ୍ଲେଖଯୋଗ୍ୟ ବୁଲନ୍ଦସହରରେ ଏବେ ଇଜତମା ଉତ୍ସବ ଚାଲିଛି ଏବଂ ସେଠାରୁ ବଡ଼ ସଂଖ୍ୟାରେ ଫେରୁଥିଲେ। ମାତ୍ର ଏହି ହିଂସାକାଣ୍ଡ କାରଣରୁ ଲୋକଙ୍କ ଗାଡ଼ି ମଧ୍ୟ ସେଠାରେ ଫସି ରହିଛି।