ଗୌହାଟୀ, ୨୪/୬: ଆସାମ ରାଜଧାନୀ ଗୌହାଟୀର ରାଡିସନ ହୋଟେଲରେ ରହୁଛନ୍ତି ମହାରାଷ୍ଟ୍ରର ବିଦ୍ରୋହୀ ବିଧାୟକମାନେ । ଏହି ବଡ ହୋଟେଲରେ ରହିବା ପାଇଁ ବିଧାୟକମାନେ କେତେ ଖର୍ଚ୍ଚ କରୁଛନ୍ତି ଏହାର ତଥ୍ୟ ଏବେ ହସ୍ତଗତ ହୋଇଛି। ବିଧାୟକମାନେ ହୋଟେଲରେ କୋଠରୀ ୭ ଦିନ ଲାଗି ବୁକ୍ କରିଛନ୍ତି। ଏହା ଛଡା ଏଠାରେ ରହିବା ଓ ଖାଇବା ପିଇବା ଖର୍ଚ୍ଚ ମଧ୍ୟ ରହିଛି। ଏଥିଲାଗି ମୋଟ ୧.୧୨ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଜଣାପଡିଛି।
ସୂଚନା ଅନୁସାରେ ଏକନାଥ ସିନ୍ଦେ ଓ ବାକି ବିଦ୍ରୋହୀ ବିଧାୟକଙ୍କ ନିମନ୍ତେ ହୋଟେଲରେ ମୋଟ ୭୦ଟି କୋଠରୀ ବୁକ୍ ହୋଇଛି। ଏହି ସବୁ ରୁମ ୭ ଦିନ ଲାଗି ବୁକ୍ ହୋଇଥିବା ବେଳେ ଏହି ବୁକିଂ ଲାଗି ୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହା ବାଦେ ଦୈନିକ ଖାଇବା ପିଇବା ଓ ଅନ୍ୟ ସର୍ଭିସ ବାବଦେ ଦୈନିକ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏହି ହିସାବରେ ୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମୋଟ ୧.୧୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି।
ଏହି ହୋଟେଲରେ ଏକନାଥ ସିନ୍ଦେଙ୍କ ସହିତ ମୋଟ କେତେ ବିଧାୟକ ଓ ବାକି ଲୋକେ ଅଛନ୍ତି ତାର ସ୍ପଷ୍ଟ ସଂଖ୍ୟା ଜଣାପଡି ନାହିଁ। ତେବେ ଏତିକି ଜଣାପଡିଛି ବିଦ୍ରୋହୀଙ୍କ ସଂଖ୍ୟା ଲଗାତାର ମଜଭୁତ ହେବାରେ ଲାଗିଛି। ସିନ୍ଦେଙ୍କ କ୍ୟାମ୍ପରେ ଆହୁରି ଅଧିକ ନିର୍ଦ୍ଦଳୀୟ ବିଧାୟକ ସାମିଲ ହେଲେଣି। ଏମିତିରେ ଶିବସେନାର ୩୭ ବିଧାୟକଙ୍କୁ ମିଶାଇ ମୋଟ ୪୬ ବିଧାୟକଙ୍କ ସମର୍ଥନ ଏକନାଥ ସିନ୍ଦେଙ୍କ ସହ ରହିଛି। ଏମାନଙ୍କ ସହ ଏବେ ଆହୁରି ୩ ବିଧାୟକ ଯୋଡି ହୋଇଥିବାର ଏବେ ଖବର ଆସୁଛି। ହୋଟେଲରେ ଏବେ କିଛି ସାଂସଦ, ବିଧାୟକ ଓ ସେମାନଙ୍କ ପରିବାର ଲୋକେ ମିଶି ରହୁଥିବାର ସୂଚନା ଆସୁଛି ।