୧୦୦ କୋଟି ଖର୍ଚ୍ଚରେ ତିଆରି ହେଉଥିଲା କଲେଜ: ବିଧାୟକଙ୍କ ଧକ୍କାରେ କାନ୍ଥ ହୋଇଗଲା ଚୂନା, ଦେଖନ୍ତୁ Video

ପ୍ରତାପଗଡ଼: ସରକାରୀ ଯୋଜନାରେ ଦୁର୍ନୀତି ହେଉଥିବା ଅନେକ ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶରୁ ଏପରି ଦୃଶ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଏକ ନିର୍ମାଣଧୀନ କଲେଜ ଘର ବିଧାୟକଙ୍କ ଧକ୍କାରେ ଭାଙ୍ଗିଯାଇ ଚୂରମାର ହୋଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ପ୍ରତାପଗଢ଼ର ରାଣୀଗଞ୍ଜ ବାବା ବେଲଖରନାଥ ଧାମ ବ୍ଲକର ଶିବସତ ଗ୍ରାମରେ ନିର୍ମାଣ ହେଉଥିବା ଏକ କଲେଜ କାମ ୨ ବର୍ଷ ଧରି ଚାଲିଥିଲା । ଏହାକୁ ନୋଏଡାର ସଂସ୍ଥା କରାଉଥିଲା । ଦୁର୍ନୀତି ଅଭିଯୋଗ ଆସିବାରୁ ନିର୍ମାଣ ସ୍ଥାନରେ ପହଞ୍ଚିଥିଲେ ସ୍ଥାନୀୟ ବିଧାୟକ । ବିଧାୟକ ଧକ୍କା ମାରିବାରୁ ନିର୍ମାଣାଧୀନ ରାଜକୀୟ ଇଞ୍ଜିନିଅରିଂ କଲେଜର କାନ୍ଥ ଭାଙ୍ଗିଯାଇଥିଲା । ଏହାପରେ ବିଧାୟକ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ସେହି ସ୍ଥାନକୁ ଡକାଇଥିଲେ ।

ଆଉ ଅଧିକାରୀଙ୍କୁ ଦେଖାଇବା ପାଇଁ ଅଧିକାରୀଙ୍କ ସାମ୍ନାରେ ବିଧାୟକ କାନ୍ଥକୁ କେବଳ ଏକ ଧକ୍କା ଦେଇଥିଲେ ଏବଂ ପୂରା କାନ୍ଥ ଗଳିପଡ଼ିଥିଲା । ଯାହାପରେ ବିଭାଗୀୟ ଅଧିକାରୀ ନିର୍ମାଣ କାର୍ଯ୍ୟର ସାମ୍ପୁଲକୁ ଯାଞ୍ଚ ପାଇଁ ପଠାଯିବ ଏବଂ ଘଟଣାରେ ଯିଏବି ଦୋଷୀ ତାକୁ ଦଣ୍ଡ ଦିଆଯିବ ବୋଲି କହିଥିଲେ । ଖୁବଶୀଘ୍ର ମାମଲାର ଯାଞ୍ଚ କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି ।