ପୁରୀ ସ୍ଵର୍ଗଦ୍ଵାରରେ ହେବ ରାଇମୋହନଙ୍କ ଶେଷକୃତ୍ୟ

ଭୁବନେଶ୍ବର: ଟେଲି ଅଭିନେତା ରାଇମୋହନ ପରିଡ଼ାଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ ହେବ। ଏନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ମରଶରୀରକୁ ପୋଷ୍ଟମର୍ଟମ ପରେ ରାଇମୋହନ ପରିଡ଼ାଙ୍କ ପାର୍ଥିବ ଶରୀର କ୍ୟାପିଟାଲ ହସ୍ପିଟାଲରୁ ବାହାରି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଭିମୁଖେ ଯାଇଛି। ଏଠାରେ ଓଡ଼ିଆ ଫିଲ୍ମ, ଟେଲିଭିଜନ ଜଗତର ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଏହା ପରେ ରାଇମୋହନ ପରିଡ଼ାଙ୍କ ପାର୍ଥିବ ଶରୀର ସଙ୍ଗୀତ ମହାବିଦ୍ୟାଳୟରୁ ତାଙ୍କର ପ୍ରାଚୀବିହାରସ୍ଥିତ ବାସଭବନ ଅଭିମୁଖେ ଯିବ। ପ୍ରାଚୀ ବିହାରସ୍ଥିତ ରାଇମୋହନଙ୍କ ଘରେ ପରିବାର, ବନ୍ଧୁବର୍ଗ ଓ ଅନ୍ୟମାନେ ଶ୍ରଦ୍ଧାଞ୍ଜଳି ଜଣାଇବେ। ଶେଷରେ ପାର୍ଥିବ ଶରୀର ପୁରୀ ସ୍ବର୍ଗଦ୍ବାର ଅଭିମୁଖେ ବାହାରିବ।

ତେବେ ଖଳନାୟକ ଭୂମିକାରେ ଅଭିନୟ କରି ସମସ୍ତ ମନ ମୋହୁଥିବା ଅଭିନେତା ରାଇମୋହନ ପରିଡ଼ା ଆଉ ଏ ଦୁନିଆରେ ନାହାନ୍ତି । ପ୍ରାଚୀ ବିହାର ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହି ଖବରକୁ ତାଙ୍କ ଫ୍ୟାନ୍ସମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା । କୁହାଯାଉଛି ପାରିବାରିକ କଳହରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି । କେଉଁ ପରିସ୍ଥିତିରେ ଓ କାହିଁକି ଆତ୍ମହତ୍ୟା କଲେ ସେ ନେଇ ତନାଘନା କରୁଛି ପୋଲିସ ।