ପୁରୀ,୨୪/୬ : ପଞ୍ଚଭୂତରେ ଲୀନ ହେଲେ ଅଭିନେତା ରାଇମୋହନ ପରିଡ଼ା। ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ ସମ୍ପନ୍ନ ହୋଇଛି। ରାଇମୋହନଙ୍କ ପାର୍ଥିବ ଶରୀରରେ ତାଙ୍କର ସାନ ଝିଅ ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ ସଂପର୍କୀୟ, ବନ୍ଧୁବର୍ଗ ଓ ସିନେମା ଜଗତର କିଛି ଜଣାଶୁଣା ବ୍ୟକ୍ତି ଉପସ୍ଥିତ ଥିଲେ।
ରାଇମୋହନ ପରିଡ଼ାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ କ୍ୟାପିଟାଲ ହସ୍ପିଟାଲରୁ ଏକ ଶୋଭାଯାତ୍ରାରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ନିଆଯାଇଥିଲା। ସେଠାରେ ଓଡ଼ିଆ ଫିଲ୍ମ, ଟେଲିଭିଜନ ଜଗତର ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ରାଇମୋହନ ପରିଡ଼ାଙ୍କ ପାର୍ଥିବ ଶରୀରକୁ ସଙ୍ଗୀତ ମହାବିଦ୍ୟାଳୟରୁ ତାଙ୍କର ପ୍ରାଚୀବିହାରସ୍ଥିତ ବାସଭବନ ଅଭିମୁଖେ କିଛି ସମୟ ପାଇଁ ନିଆଯାଇଥିଲା। ପ୍ରାଚୀ ବିହାରସ୍ଥିତ ରାଇମୋହନଙ୍କ ଘରେ ପରିବାର, ବନ୍ଧୁବର୍ଗ ଓ ଅନ୍ୟମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଶେଷରେ ପାର୍ଥିବ ଶରୀର ପୁରୀ ସ୍ବର୍ଗଦ୍ବାର ଅଭିମୁଖେ ବାହାରିଥିଲା ଏବଂ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।