ଭୁବନେଶ୍ୱର: ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ହେବାରୁ ରାଇମୋହନଙ୍କ ମୃତ୍ୟୁ ହୋଇଛି ରିପୋର୍ଟରେ ଉଲ୍ଲେଖ ହୋଇଛି। ରାଇମୋହନ ନିଜେ ବେକରେ ଦଉଡ଼ି ଦେଇଥିଲେ ବୋଲି ରିପୋର୍ଟରେ କୁହାଯାଇଛି। କ୍ୟାପିଟାଲ ହସ୍ପିଟାଲ ତରଫରୁ ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ ପୋଲିସକୁ ହସ୍ତଗତ ହୋଇଛି । କିପରି ଏବଂ କେବେ ରାଇମୋହନଙ୍କର ମୃତ୍ୟୁ ଘଟିଛି ଏହାର ସ୍ପଷ୍ଟ ସୂଚନା ଦେଇଛି କ୍ୟାପିଟାଲ ହସ୍ପିଟାଲ । ପୋଷ୍ଟମର୍ଟମ ରିପୋର୍ଟରୁ ରାଇମୋହନଙ୍କ ମୃତ୍ୟୁର ପ୍ରକୃତ କାରଣ ପଦାକୁ ଆସିଛି ।
ସୂଚନାଯୋଗ୍ୟ, ଗତ ୨୪ ତାରିଖ ଦିନ ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବାର ସୂଚନା ମିଳିଥିଲା। ସେ ଭୁବନେଶ୍ବରର ପ୍ରାଚୀବିହାରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ। ତାଙ୍କ ଘରୁ ରାଇମୋହନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପାରିବାରିକ ଅସନ୍ତୋଷକୁ ନେଇ ସେ ଜୀବନ ହାରିଥିବା କୁହାଯାଉଛି।
ତେବେ ରାଇମୋହନଙ୍କ ଶରୀରରେ ଦେଖାଯାଇଥିବା କିଛି କ୍ଷତଚିହ୍ନକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । ଏହି ଦ୍ପନ୍ଦ୍ୱକୁ ମଧ୍ୟ ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ଅଭିନେତାଙ୍କ ଦେହରେ ହୋଇଥିବା କ୍ଷତ ଚିହ୍ନ ମୃତ୍ୟୁ ପୂର୍ବର ହ୍ୟାଙ୍ଗିଙ୍ଗ ଯୋଗୁଁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି ।