କଟକ, 28/6: କଟକ କିଶନନଗର ଥାନା ସମ୍ମୁଖରେ ଆତ୍ମାହୁତି ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଥାନା ଅଧିକାରୀ ସସ୍ମିତା ରଣାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି । କାର୍ଯ୍ୟରେ ଅବହେଳା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି DGP । ଏକ ମାମଲାର ତଦନ୍ତରେ ଅବହେଳା ଯୋଗୁଁ ପଦରୁ ନିଲମ୍ବିତ ହୋଇଛନ୍ତି ଆଇଆଇସି ସସ୍ମିତା ରଣା ।
ସୂଚନାଯୋଗ୍ୟ ଗଲା ୫ ଦିନ ହେଲା କିଶନନଗର ଥାନା ଅଧିକାରୀ ସସ୍ମିତା ରଣା ଆଉ ଥାନାକୁ ଆସୁ ନାହାନ୍ତି। ଆଇଆଇସିଙ୍କ ଏଭଳି ଅନୁପସ୍ଥିତିକୁ ନେଇ କୌଣସି ପୁଲିସ ଅଧିକାରୀ ମତାମତ ଦେଉ ନଥିବାବେଳେ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା ଆଇଆଇସିଙ୍କର ଗଲା ୧୭ ତାରିଖରୁ ଯାଜପୁର ଜିଲ୍ଲାକୁ ବଦଳି ହୋଇଛି। ସେ ଖୁବ୍ଶୀଘ୍ର ଦାୟିତ୍ବ ହସ୍ତାନ୍ତର କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଗତ ୨୩ ତାରିଖରେ କିଶନନଗର ଥାନା ସମ୍ମୁ୍ଖରେ ଇଶାଣୀବ୍ରହ୍ମପୁର ସାଇଁ ପୋରୁଆଁ ଗ୍ରାମର ଗୁଣନିଧି ବିଶୋଇ ପେଟ୍ରୋଲ ଢାଳି ଆତ୍ମାହୁତି ଦେଇଥିଲେ। ପୋଲିସ ସହଯୋଗ କରୁନଥିବା ଅଭିଯୋଗ କରି ଦେହରେ ନିଆଁ ଲଗାଇ ଥିଲେ ।
ଦିନକ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଥାନା ଆଇଆଇସି ଗୁଣନିଧିଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସରେ ଭର୍ତ୍ତି କରିବାଠାରୁ ଆରମ୍ଭ କରି ତାଙ୍କ ବ୍ୟାଗ୍ ଥାନାରେ ରଖିବା ଯାଏ ସବୁ କାମ କରିଥିଲେ। କିନ୍ତୁ ତା ପରଠାରୁ ତାଙ୍କୁ ଆଉ ଥାନାରେ ଦେଖିବାକୁ ମିଳି ନଥିଲା। ଏସ୍ଡିପିଓ, ଅତିରିକ୍ତ ଏସ୍ପି ପ୍ରମୁଖ ଥାନାରେ ପହଞ୍ଚି ସିସିଟିଭି ଯାଂଚଠାରୁ ଆରମ୍ଭ କରି ଗୁଣନିଧିଙ୍କ ବ୍ୟାଗ୍ ଖୋଜିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ କରିଥିଲେ ବି ଥାନା ଅଧିକାରୀ ସସ୍ମିତା ରଣାଙ୍କୁ ଦେଖିବାକୁ ମିଳି ନଥିଲା।