ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ, ସଂଧ୍ୟା ୭.୩୦ରେ ଶପଥ ଗ୍ରହଣ

ମୁମ୍ୱାଇ,୩୦/୬ : ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ । ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ। ଆଜି ସଂଧ୍ୟା ୭.୩୦ ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଦେବେନ୍ଦ୍ର ଫଡନବିସ ଏବଂ ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ଭେଟିଛନ୍ତି। ଏହି ଦୁଇ ନେତା ରାଜ୍ୟରେ ସରକାର ଗଠନ ପାଇଁ ଦାବି କରିଛନ୍ତି। ବିଜେପି ନିକଟରେ ମୋଟ ୧୦୬ ବିଧାୟକ ଅଛନ୍ତି, ଅନ୍ୟପଟେ ଏକନାଥ ସିନ୍ଦେ ଶିବସେନାର ବିଦ୍ରୋହୀ ବିଧାୟକ ଏବଂ ନିର୍ଦଳୀୟ ବିଧାୟକ ସହ ମୋଟ ୪୯ ସଦସ୍ୟଙ୍କ ସମର୍ଥନ ଥିବା ଦାବି କରିଛନ୍ତି ।

ଆଜି ଏକନାଥ ସିନ୍ଦେ ଗୋଆରୁ ମୁମ୍ୱାଇରେ ପହଞ୍ଚି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ଘରେ ପହଞ୍ଚିଥିଲେ। ପରେ ଦୁହେଁ ଏକାସାଙ୍ଗରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଯାଇଥିଲେ । ଏକନାଥ ସିନ୍ଦେ ଏକାକୀ ମୁମ୍ୱାଇ ପହଞ୍ଚିଥିବା ବେଳେ ଶିବସେନାର ଅନ୍ୟ ବିଦ୍ରୋହୀ ବିଧାୟକ ଏବେବି ଗୋଆର ତାଜ ହୋଟେଲରେ ଅଛନ୍ତି। ବିଜେପି ସୂତ୍ର ଅନୁସାରେ ବିଜେପିରୁ ୨୮ ଜଣ ମନ୍ତ୍ରୀ ହୋଇପାରନ୍ତି । ଅନ୍ୟପଟେ ଏକାନାଥ ସିନ୍ଦେଙ୍କ ଗୋଷ୍ଠୀରୁ ୧୩ ଜଣଙ୍କୁ ମନ୍ତ୍ରୀ କରାଯାଇପାରେ। ଏଥିରେ ୮ ଜଣଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୫ ଜଣଙ୍କୁ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ଦିଆଯାଇପାରେ। ଆଜି କେବଳ ସିନ୍ଧେ ଶପଥ ନେବେ, ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ ।