ପୁରୀ: ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହି ଦିନ ୩ ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ଶ୍ରୀଜିଉ । ଦୀର୍ଘ ଦୁଇ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ହେବ ମହାମିଳନ । କରୋନା କଟକଣା ପାଇଁ ଦୁଇ ବର୍ଷ ଧରି ଭକ୍ତମାନଙ୍କୁ ରଥଯାତ୍ରାରେ ସାମିଲ ହେବା ପାଇଁ ବାରଣ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ଭକ୍ତଙ୍କୁ ରଥଯାତ୍ରାରେ ସାମିଲ ହେବାର ଅନୁମତି ମିଳିଛି । ସୁରକ୍ଷିତ ଏବଂ ଶୃଙ୍ଖଳିତ ରଥଯାତ୍ରା ପାଇଁ ପ୍ରଶାସନ ମଧ୍ୟ ବ୍ୟାପକ ପ୍ରସ୍ତୁତି କରିଛି । ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ମଧ୍ୟ ହୋଇଛି ।ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ମଧ୍ୟ ହୋଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ତଥା ନିର୍ଦ୍ଧାରିତ ସମୟରେ ପହଣ୍ଡି ସଂପାଦନ ପ୍ରସ୍ତୁତି ପାଇଁ ଉଭାଯାତ୍ରା ଦିନ ସନ୍ଧ୍ୟା ୫ଟା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଏଥି ଅନୁଯାୟୀ, ସକାଳ ୬ଟାରେ ମଙ୍ଗଳ ଆଳତୀ, ସକାଳ ୭ଟାରେ ଅବକାଶ, ସକାଳ ୮ଟାରେ ସକାଳ ଧୂପ, ସକାଳ ୯ଟାରେ ରଥ ପ୍ରତିଷ୍ଠା, ସକାଳ ୯ଟା ୧୫ମିନିଟ୍ରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହେବ । ସେହିଭଳି ସକାଳ ୯ଟା ୩୦ମିନିଟ୍ରେ ପହଣ୍ଡି ଆରମ୍ଭ ହେବା ବେଳେ ଅପରାହ୍ନ ୧୨ଟା ୩୦ମିନିଟ୍ରେ ପହଣ୍ଡି ଶେଷ ହେବ । ସେହିଭଳି ଦିନ ୧ଟା ୩୦ମିନିଟ୍ରେ ଚିତା ଲାଗି, ଦିନ ୨ଟା ୩୦ମିନିଟ୍ରେ ଛେରାପହଁରା ଅନୁଷ୍ଠିତ ହେବ । ଦିନ ୩ଟାରେ ଚାରମାଳ ଫିଟା ଓ ଘୋଡା ଲାଗି ନୀତି ଅନୁଷ୍ଠିତ ହେବ । ଦିନ ୪ଟାରେ ରଥ ଟଣା ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୀତି ନିର୍ଘଣ୍ଟ ହୋଇଥଲେ ହେଁ ଏହା କେବଳ ସୂଚନା ପାଇଁ ଉଦ୍ଦିଷ୍ଟ । ଏହାର ପୂର୍ବରୁ କିମ୍ବା ପରେ ମଧ୍ୟ ନୀତି ସମ୍ପାଦିତ ହୋଇପାରେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଏହାସହ ସମସ୍ତ ଭକ୍ତଙ୍କ ସମେତ ସମ୍ପୃକ୍ତ ସେବାୟତ ମାନଙ୍କୁ ବାଧ୍ୟତାମୂଳକ ମାସ୍କ ବ୍ୟବହାର ପାଇଁ ନିବେଦନ କରାଯାଇଛି। ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆର୍ପିଏଫ, ଆର୍ମଡ଼ ଫୋର୍ସ, ବରିଷ୍ଠ ତଥା ଅଭିଙ୍ଗ ପୋଲିସ ଅଫିସର, ବମ୍ ସ୍କ୍ଵାର୍ଡ ତଥା ଗୃହରକ୍ଷୀ ବାହିନୀଙ୍କୁ ନିଯୁକ୍ତି କରାଯାଇଛି । ରାଜ୍ୟ ସରକାର ଏହି ମହାନ ଗଣପର୍ବକୁ ଶୃଙ୍ଖଳାର ସହିତ ସମ୍ପନ୍ନ କରିବାକୁ ଚେଷ୍ଟା କରିଛନ୍ତି । ଶେଷରେ ରାଜ୍ୟର ବୁଦ୍ଧିଯିବି, ନାଗରିକ ଓ ସାମ୍ବାଦିକଙ୍କୁ ସାହାଯ୍ୟ ସହଯୋଗ କରିବାକୁ ନିବେଦନ କରିଛନ୍ତି ।